ପୁରୀ: ଇଟିଭି ଭାରତରେ ଖବର ପ୍ରସାରଣ ପରେ ଅସହାୟ ବାପା ନିଜ ପୁଅର ଚିକିତ୍ସା ପାଇଁ ପାଇଲେ ଆର୍ଥିକ ସହାୟତା । ଅସୁସ୍ଥ ଯୁବକଙ୍କୁ ସହାୟତା ପାଇଁ ଆଗେଇଆସିଲେ ବିଭିନ୍ନ ସମାଜସେବୀ ସଂଗଠନ । କିଛିଦିନ ତଳେ ପୁରୀ ବଳିଆପଣ୍ଡା ବିଜୟ ନଗର ବସ୍ତିର ୨୧ ବର୍ଷର ଚିନ୍ମୟ ମୁଦୁଲି ଏକ ଅଜଣା ରୋଗରେ ପୀଡିତ ଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ବୋଲି ଇଟିଭି ଭାରତରେ ଖବର ପ୍ରସାରଣ ହୋଇଥିଲା । ଆଉ ଏହି ଖବର ପୁରୀ ସହରର ବିଭିନ୍ନ ସୋସିଆଲ ମିଡିଆ ଗ୍ରୁପ ଭାଇରାଲ କରିବା ପରେ ଧୀରେ ଧୀରେ ବିଭିନ୍ନ ବ୍ୟକ୍ତି ଅସୁସ୍ଥ ଚିନ୍ମୟଙ୍କ ଚିକିତ୍ସା ପାଇଁ ଆର୍ଥିକ ସାହାଯ୍ୟ କରିବା ପାଇଁ ହାତ ବଢ଼ାଇଛନ୍ତି ।
ପୁରୀର ଜଣାଶୁଣା ଲୋକପ୍ରିୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ପତିତପାବନ ସମାଜ ସେବା ସଙ୍ଘ ୧୦ ହଜାର ଟଙ୍କା ଆର୍ଥିକ ରାଶି ଚିନ୍ମୟ ମୁଦୁଲିଙ୍କ ବାପାଙ୍କୁ ପ୍ରଦାନ କରିଥିଲେ । ଘରେ ପୁଅଟିଏ ଜନ୍ମ ନେଲେ ବାପା ମାଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଏ । ପୁଅ ମୁହଁକୁ ଚାହିଁ ଅବଶିଷ୍ଟ ଜୀବନ କାଟିଦେବାକୁ ପ୍ରତ୍ୟେକ ବାପା ମାଆଙ୍କ ଇଛା ଥାଏ । କିନ୍ତୁ ଭାଗ୍ୟର ବିଡ଼ମ୍ବନା ୨୧ ବର୍ଷର ପୁଅ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଏବେ ଶଯ୍ୟାଶାୟୀ ।