ପୁରୀ: ପୁଣି ପଦାରେ ପଡିଲା ସ୍ବାସ୍ଥ୍ୟସେବାର ନଗ୍ନଚିତ୍ର । ଏଥର କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ପୁରୀ ସହରରୁ ଆସିଛି ସ୍ବାସ୍ଥ୍ୟସେବାର ଅସଲି ଚିତ୍ର । ସାଲାଇନ ଷ୍ଟାଣ୍ଡ ନଥିବାରୁ ରାତି ତମାମ ରୋଗୀ ନିଜ ହାତରେ ଧରିଲେ ସାଲାଇନ । ଏହି ଘଟଣା ଏବେ ଆଲୋଡନ ସୃଷ୍ଟି କରିଛି । ସରକାର ବିକାଶର ଡିଣ୍ଡିମ ପିଟୁଛନ୍ତି । ଏପରିକି ସ୍ବାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି । ହେଲେ ସରକାର ସବୁ ବାହାସ୍ଫୋଟକୁ ଉପହାସ କରିଛି ।
ଗୁରୁବାର ମାଟି ମଣ୍ଡପ ସାହିରେ ରହୁଥିବା ଦିଲ୍ଲୀପ ବାରିକ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କ ବେଡ ପାଖରେ ସାଲାଇନ ଷ୍ଟାଣ୍ଡ ନଥିବାରୁ ନର୍ସ ସାଲାଇନ ବୋତଲ ଧରାଇ ଦେଇ ପଳାଇଥିଲେ । ଏପଟେ ଯନ୍ତ୍ରଣା ସେପଟେ ସାଲାଇନ ରାତି ସାରା ଧରିବା କଷ୍ଟ ରୋଗୀଙ୍କ କଷ୍ଟକୁ ଦ୍ବିଗୁଣିତ କରିଥିଲା । ଫଳରେ ସେ ଶୋଇ ନପାରି ଯନ୍ତ୍ରଣାରେ ଛଟପଟ ହୋଇଥିଲେ ।