ପୁରୀ: ଆଉ ମାତ୍ର ଗୋଟିଏ ମାସର ଅପେକ୍ଷା । ରତ୍ନସିଂହାସନରୁ ବାହାରି ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ । ଭକ୍ତ ଓ ଭଗବାନଙ୍କ ହେବ ମହାମିଳନ । ଗହଳି ଚହଳିରେ ଫାଟି ପଡିବ ବଡଦାଣ୍ଡ । ରଥାଯାତ୍ରା ପାଖେଇ ଆସୁଥିବା ବେଳେ ପୁରୀରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହେବ। ଏହି ସମୟରେ ପାର୍କିଂ ସମସ୍ୟା ଉତ୍କଟ ରୂପ ନେଇଥାଏ। ଏହି ସମସ୍ୟା ଖୁବଶୀଘ୍ର ସମାଧାନ ହେବାକୁ ଯାଉଛି। ୪୩ ଏକର ଜମି ଉପରେ ନିର୍ମାଣ ଚାଲିଛି ବିଶାଳ ପାର୍କିଂ ଜୋନ। ଏକାଥରକେ ଦେଢ଼ ହଜାରରୁ ଉର୍ଦ୍ଧ୍ବ ଯାନବାହାନ ଏଠାରେ ପାର୍କିଂ ହୋଇ ପାରିବ। ପୁରୀ ମଙ୍ଗଳାଘାଟ ନିକଟ ସମଙ୍ଗ ଠାରେ ଏହି ବିଶାଳ ପାର୍କିଂ ଜୋନ୍ ନିର୍ମାଣ କାର୍ଯ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଦ୍ରୁତ ଗତିରେ ଆଗେଇ ଚାଲିଛି।
ପୁରୀକୁ ଆସୁଥିବା ଭକ୍ତଙ୍କୁ ମିଳିବ ବଡ ଆଶ୍ୱସ୍ତି, ତିଆରି ଚାଲିଛି ବିଶାଳ ପାର୍କିଂ ଜୋନ - ପୁରୀରେଅନ୍ତ ହେବ ବିପର୍ଯ୍ୟୟ ପାର୍କିଂ ବ୍ୟବସ୍ଥା
ରଥଯାତ୍ରା ପୂର୍ବରୁ ଭକ୍ତ ଓ ପର୍ଯ୍ୟଟକଙ୍କୁ ମିଳିବ ବଡ ଆଶ୍ୱସ୍ତି। ପୁରୀରେ ଅନ୍ତ ହେବ ବିପର୍ଯ୍ୟୟ ପାର୍କିଂ ବ୍ୟବସ୍ଥା । ୪୩ ଏକର ଜମି ଉପରେ ନିର୍ମାଣ ଚାଲିଛି ବିଶାଳ ପାର୍କିଂ ଜୋନ । ଅଧିକ ପଢନ୍ତୁ
କେବଳ ସେତିକି ନୁହେଁ ଜଗନ୍ନାଥ ବଲ୍ଲଭରେ ବହୁତଳ ପାର୍କିଂରେ ୧୨୦୦ ରୁ ଅଧିକ ଯାନବାହାନ ପାର୍କିଂ କରିବା ନେଇ ବ୍ୟବସ୍ଥା କରାଯାଉଛି। ସେହିପରି ମାର୍କେଟ ଛକରେ ଥିବା ମ୍ୟୁନିସପାଲିଟି ମାର୍କେଟ କମ୍ପ୍ଲେକ୍ସ, ଜେଲ୍ ରୋଡ ମାର୍କେଟ କମ୍ପ୍ଲେକ୍ସ ଏବଂ ମୋଚି ସାହି ଛକରେ ମଧ୍ୟ ନବନିର୍ମିତ ମାର୍କେଟ କମ୍ପ୍ଲେକ୍ସର ଗ୍ରାଉଣ୍ଡ ଫ୍ଲୋରରେ ମଧ୍ୟ ଗାଡ଼ି ପାର୍କିଂର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି । ଦିନକୁ ଦିନ ପୁରୀକୁ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଉଥିବା ବେଳେ ଆସନ୍ତା ରଥଯାତ୍ରା ପୂର୍ବରୁ ଏହି ପାର୍କିଂ ସ୍ଥଳ ଗୁଡ଼ିକର ଲୋକାର୍ପଣ କରିବାକୁ ସରକାର ଯୋଜନା କରିଛନ୍ତି ।
ପୁରୀ ସହରକୁ ଆସୁଥିବା ଯାତ୍ରୀମାନଙ୍କର ଗମନାଗମନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀସେତୁ ବା ଟ୍ରମ୍ପେଡ୍ ବ୍ରିଜ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଭୁବନେଶ୍ୱର ପଟୁ ଆସୁଥିବା ଯାତ୍ରୀମାନେ ସିଧାସଳଖ ମାଳତିପାଟପୁର ବାଇପାସ୍ ଦେଇ ଶ୍ରୀସେତୁରେ ଆସି ଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚି ପାରିବେ । ଆସନ୍ତା ରଥଯାତ୍ରା ପୂର୍ବରୁ ଶ୍ରୀସେତୁର ଗୋଟିଏ ପାର୍ଶ୍ବ କାର୍ଯ୍ୟ ଶେଷ କରାଯାଇ ଗାଡ଼ି ଚଳାଚଳ ପାଇଁ ଯୋଜନା ରଖାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ । ୨.୩ କିଲୋମିଟର ଲମ୍ବ ବିଶିଷ୍ଟ ଏହି ଅତ୍ୟାଧୁନିକ ଟ୍ରମ୍ପେଡ ବା ଶ୍ରୀସେତୁ ନିର୍ମାଣ ପାଇଁ ୧୬୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ପୁରୀ ସହରରେ ଦିନକୁ ଦିନ ଟ୍ରାଫିକ ଏବଂ ପାର୍କିଂ ସମସ୍ୟା ବଢୁଥିବା ବେଳେ ଏହାର ନିରାକରଣ ପାଇଁ ସରକାର ପଦକ୍ଷେପ ନେଇଥିବାରୁ ଏହାକୁ ପ୍ରଶଂସା କରିଛନ୍ତି ବୁଦ୍ଧିଜୀବୀ ।
ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କ ଗମନାଗମନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାରଙ୍କ ପକ୍ଷରୁ ପୁରୀରେ ବିମାନ ବନ୍ଦର ସହ ଆଠ ଲେନ୍ ବିଶିଷ୍ଟ ଏକ ସ୍ବତନ୍ତ୍ର ହାଇୱେ ନିର୍ମାଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ଏବେ ଦିନକୁ ଦିନ ପୁରୀରେ ଯାତ୍ରୀଙ୍କ ସଂଖ୍ୟା ବଢ଼ୁ ଥିବାରୁ ଟ୍ରାଫିକ ଏବଂ ପାର୍କିଂ ବ୍ୟବସ୍ଥାକୁ ସୁଧାରିବା ନେଇ ସରକାର ବେଶ୍ ଗୁରୁତ୍ଵ ସହ କାର୍ଯ୍ୟ ଥିବାରୁ ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।
ଇଟିଭି ଭାରତ, ପୁରୀ