ପୁରୀ: କୃଷକଙ୍କ ସଚେତନତା ପାଇଁ ଏକ ସଚେତନତା ରଥ ଉଦଘାଟିତ ହୋଇଛି । ପୁରୀ ଜିଲ୍ଲାରେ ଜଳର ସଠିକ ପରିଚାଳନା ଓ ସୁବିନିଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଏକ ସଚେତନତା ରଥକୁ ଜିଲ୍ଲାପାଳ ସମର୍ଥ ବର୍ମା ପତାକା ଦେଖାଇ ଉଦଘାଟନ କରିଛନ୍ତି । ଏହି ରଥ ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ପାଣି ପଞ୍ଚାୟତ ବୁଲି ସଦସ୍ୟ ଓ ସମସ୍ତ କୃଷକ ମାନଙ୍କୁ ପାଣିର ଉପଯୋଗ ସମ୍ପର୍କରେ ସଚେତନତାର ବାର୍ତ୍ତା ଦେବ । ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଜଳସମ୍ପଦ ବିଭାଗ ପକ୍ଷରୁ ଏହାର ଆୟୋଜନ କରାଯାଇଛି ।
ସହଭାଗି ଜଳସେଚନ ମାଧ୍ୟମରେ ତୃଣମୂଳ ସ୍ତରରେ ଜଳର ଉପଲବ୍ଧତାରେ ଗୁଣାତ୍ମକ ମାନ ବୃଦ୍ଧି ପରିପ୍ରେକ୍ଷୀରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଥାଏ ବୋଲି ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ରତ୍ନାକର ଦଳାଇ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ଉପ ନିର୍ବାହୀ ଯନ୍ତ୍ରୀ ଭାଗବତ ମଲ୍ଲିକ, ପ୍ରଦୀପ କୁମାର ପାତ୍ର, ସନାତନ ପ୍ରଧାନ, ତନୁଜ କୁମାର ରାଉତ, ହିମାଂଶୁ ଶେଖର ଜେନା, ଶତାବ୍ଦୀ ଚୌଧୁରୀ, ସହକାରୀ ଯନ୍ତ୍ରୀ ଦୁର୍ଗା ମାଧବ ମିଶ୍ର, ଶିଶିରକାନ୍ତ ସାହୁ, ବିଜୟ କୁମାର ମିଶ୍ର, ବିଚିତ୍ରା ନନ୍ଦ ମାଝି, ସୁଶାନ୍ତ କୁମାର ଦୋରା ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ଜଳ ସମ୍ପଦ ବିଭାଗ ତରଫରୁ ଫେବୃଆରୀ ମାସ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯଉଛି । ଏଥିପାଇଁ ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି ହୋଇଛି ।