ପୁରୀ:ଶ୍ରୀମନ୍ଦିରରେ ଶୁକ୍ରବାରଠୁ ଆରମ୍ଭ ହେବ ମହାପ୍ରଭୁଙ୍କ ପଞ୍ଚୁକ ନୀତି । ଯୁଗ ମଧ୍ୟରେ ସତ୍ୟ ଯୁଗ ଯେମିତି ଶ୍ରେଷ୍ଠ ଯୁଗ ସେହିପରି ମାସ ମଧ୍ୟରେ କାର୍ତ୍ତିକ ମାସକୁ ସବୁଠାରୁ ଶ୍ରେଷ୍ଠ ମାସ ବା ଧର୍ମ ମାସ କୁହାଯାଏ । ହିନ୍ଦୁ ଧର୍ମରେ କାର୍ତ୍ତିକ ମାସର ବହୁ ଗୁରୁତ୍ବ ରହିଛି । ଏହା ଦାନ, ଧର୍ମ ଓ ପୁଣ୍ୟର ମାସ । ଏନେଇ ଏହା ଧର୍ମ ମାସ ହୋଇଥିବାରୁ ଗାଁରୁ ଠୁ ସହର ପର୍ଯ୍ୟନ୍ତ ସମସ୍ତେ ଏ ମାସଟିକୁ ନିଷ୍ଠା ସହକାରେ ପାଳନ କରନ୍ତି । କୁହାଯାଏ ଏହା ଧର୍ମ ମାସ ହୋଇଥିବାରୁ ବଗ ମଧ୍ୟ ମାଛ ଖାଏ ନାହିଁ । ସେହିପରି ଏହି ଧର୍ମମାସ ପାଳୁଥିବା ଶ୍ରଦ୍ଧାଳୁ ଏକ ମାସ ଆମିଷକୁ ବାରଣ କରି ସାତ୍ତ୍ବିକ ଭୋଜନ ଗ୍ରହଣ କରନ୍ତି ।
କାର୍ତ୍ତିକ ମାସର ଶେଷ ପାଞ୍ଚଦିନ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳନ କରାଯାଏ । ଏହା ମହାପଞ୍ଚକ, ବକପଞ୍ଚକ ବା ଭୀଷ୍ମପଞ୍ଚକ ବା ବିଷ୍ଣୁପଞ୍ଚକ ଭାବେ ମଧ୍ୟ ଜଣା । ଏହି ଶେଷ ପାଞ୍ଚ ଦିନ ସବୁଠାରୁ ପବିତ୍ର ବୋଲି ମନେ କରାଯାଏ । ଅନ୍ୟପଟେ ଶେଷ ପାଞ୍ଚଦିନ କାର୍ତ୍ତିକ ବ୍ରତ ପାଳନ କରି ସମାନ ପୁଣ୍ୟ ଅର୍ଜନ କରିଥାନ୍ତି ବୋଲି ବିଶ୍ବାସ ରହିଛି । ଏହି ସମୟରେ ଦୀପଦାନ, ବୋଇତ ବନ୍ଦାଣ, ରାଧା ଦାମୋଦର ପୂଜା, ବଡ଼ଓଷା, ବାଲୁକା ପୂଜା ଇତ୍ୟାଦି କରାଯାଏ । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ ହବିଷ୍ୟ ପାଳନ କରନ୍ତି । ଅନେକ ଅଁଳା ନବମୀ, ରାଧାପାଦ ଦର୍ଶନ ଦିବସ ଠାରୁ ସାତଦିନ ହବିଷ୍ୟ କରନ୍ତି । ଏହି ପାଞ୍ଚଦିନ ହିନ୍ଦୁମାନେ ଆମିଷ ପରିତ୍ୟାଗ କରି ସାତ୍ତ୍ବିକ ଭୋଜନ ଆହାର କରିଥାନ୍ତି ।
କାର୍ତ୍ତିକ ମାସର ପଞ୍ଚୁକ ୫ଦିନ ପୁରୀରେ ହବିଷ୍ୟାଳିଙ୍କ ଜମିଥାଏ ଭିଡ । ଏହି ଅବସରରେ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କୁ ଆକର୍ଷଣୀୟ ବେଶରେ ସୁସଜ୍ଜିତ କରାଯାଏ । ପଞ୍ଚୁକର ପ୍ରଥମ ଦିନ ଅର୍ଥାତ ଏକାଦଶୀରେ ଲକ୍ଷ୍ମୀନାରାୟଣ ବେଶ , ଦ୍ଵାଦଶୀରେ ବାଙ୍କ ଚୁଡ ବେଶ , ତ୍ରୟୋଦଶୀରେ ତ୍ରି ବିକ୍ରମ ବେଶ , ଚତୁର୍ଦ୍ଦଶୀରେ ଲକ୍ଷ୍ମୀ ନୃସିଂହ ବେଶ ଏବଂ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ରାଜ ରାଜେଶ୍ବର ବେଶ ଅନୁଷ୍ଠିତ ହୋଇଥାଏ । ତେବେ ପଞ୍ଚୁକରେ ମହାପ୍ରଭୁଙ୍କ ଏହି ବେଶ ଯିଏ ଦର୍ଶନ କରେ ସେ ଅପାର ଆନନ୍ଦ ସହ ଦିବ୍ୟଗତି ଲାଭ କରନ୍ତି ବୋଲି ବିଶ୍ବାସ ରହିଛି ।
ଏହି ବେଶ ଦେଖିବା ପାଇଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟେ । କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ ବ୍ରତଧାରୀ ମାନେ ସକାଳୁ ସମୁଦ୍ରରେ ସ୍ନାନ କରି ଚଉରା ମୂଳେ ସଂକଳ୍ପ ନେଇ କାର୍ତ୍ତିକ ବ୍ରତ ଆରମ୍ଭ କରିଥାନ୍ତି । ଏକ ମାସ ଧରି ନିଷ୍ଠାର ସହ ମହାପ୍ରସାଦ ସେବନ କରି ଚଉରା ମୂଳେ ରାଇ ଦାମୋଦର ପୂଜା କରି କାର୍ତ୍ତିକ ବ୍ରତ ପାଳନ କରନ୍ତି । ଧୁଆ ମୁଗ,ପାଚିଲା କଦଳୀ ଓ ସେଓ ଆଦି ଫଳମୂଳ ଭୋଗ ଲଗାଇ ରାଧା ଦାମୋଦରଙ୍କୁ ମାସ ସାରା ପୂଜା କରିବେ ବ୍ରତଧାରୀ । ତେବେ ହବିଷ୍ୟାଳିଙ୍କ ପାଇଁ ପ୍ରତି ବର୍ଷ ସରକାରଙ୍କ ତରଫରୁ ରହିବା ବ୍ୟବସ୍ଥା କରାଯାଏ । କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ହେତୁ ହବିଷ୍ୟାଳିଙ୍କ ପାଇଁ କୌଣସି ବ୍ୟବସ୍ଥା ହୋଇ ନାହିଁ। ସେହିପରି କୌଣସି ମଠ ମନ୍ଦିରରେ ହାବିଷ୍ୟାଳିଙ୍କୁ ନ ରଖିବା ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି ।