ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ପଞ୍ଚୁକର ଦ୍ବିତୀୟ ଦିନ, ଆଜି ମହାପ୍ରଭୁଙ୍କ ବାଙ୍କଚୂଡ ବେଶ - ବାଙ୍କଚୂଡ ବେଶ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାଙ୍କଚୂଡ ବେଶ । ଅବକାଶ ନୀତି ପରେ ବାଙ୍କଚୂଡ ବେଶରେ ସଜ୍ଜିତ ହେବେ ଶ୍ରୀବିଗ୍ରହ । ମଥୁରାରୁ ଗୋପ ଆସିଥିବା ଅକ୍ରୁରଙ୍କ ସ୍ମୃତି ଉଜ୍ଜିବୀତ ରଖିବାକୁ ଅନୁଷ୍ଠିତ ହୁଏ ଏହି ବେଶ । ବାଙ୍କଚୂଡ ବେଶର ବିଶେଷତ୍ୱ ହେଉଛି ଜଗନ୍ନାଥ ଓ ବଳଭଦ୍ରଙ୍କ ଶ୍ରୀମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଆଡ ଖୋସା ପଡେ ଏବଂ ଏହି ଖୋସା(ବେଣୀ)ର ଅଗ୍ର ଗଣ୍ଠିରେ ଏକ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ। ଅଧିକ ପଢନ୍ତୁ...

ୱୋbankachuda besha
ଶ୍ରୀମନ୍ଦିରରେ ପଞ୍ଚୁକର ଦ୍ବିତୀୟ ଦିନ, ଆଜି ମହାପ୍ରଭୁଙ୍କ ବାଙ୍କଚୂଡା ବେଶ

By

Published : Nov 26, 2020, 7:17 AM IST

Updated : Nov 26, 2020, 7:43 AM IST

ପୁରୀ: ଶ୍ରୀମନ୍ଦିରରେ ଚୂଡାନ୍ତ ନୀତି ନିର୍ଘଣ୍ଟ ଅନୁସାରେ ମହାପ୍ରଭୁଙ୍କ କାର୍ତ୍ତିକ ନୀତିକାନ୍ତି ଚାଲିଛି । ଆଜି ପବିତ୍ର ପଞ୍ଚୁକର ଦ୍ବିତୀୟ ଦିନରେ ମହାପ୍ରଭୁଙ୍କ ବାଙ୍କଚୂଡ ବେଶ । କାର୍ତ୍ତିକ ମାସର ପଞ୍ଚୁକ ମଧ୍ୟରେ ପଡୁଥିବା ଶୁକ୍ଳ ଦ୍ୱାଦଶୀ ତିଥିରେ ରତ୍ନ ସିଂହାସନରେ ଅଧିଷ୍ଠିତ ଠାକୁରଙ୍କ ବାଙ୍କଚୂଡ଼ ବେଶ ଅନୁଷ୍ଠିତ ହୋଇଥାଏ।

ଏହି ଦିନ ଅବକାଶ ନୀତି ଶେଷ ହେବା ପରେ ପାଳିଆ ମେକାପ,ଖୁଣ୍ଟିଆ,ଚାଙ୍ଗଡା ମେକାପ ଏବଂ କେତେଜଣ ପୁଷ୍ପାଳକ ଶ୍ରୀବିଗ୍ରହଙ୍କୁ ବାଙ୍କଚୂଡ଼ ବେଶରେ ସଜ୍ଜିତ କରିଥାନ୍ତି। କିମ୍ବଦନ୍ତୀ ଅନୁଯାୟୀ, ମଥୁରାରୁ ଗୋପ ଆସିଥିବା ଅକ୍ରୁରଙ୍କୁ ଶ୍ରୀକୃଷ୍ଣ ବାଙ୍କଚୂଡା ବେଶରେ ଦର୍ଶନ ଦେଇଥିଲେ । ଆଉ ସେହି ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ପୁରୀ ଶ୍ରୀମନ୍ଦିରରେ ବହୁ ପୁରାତନ କାଳରୁ ବାଙ୍କଚୂଡ଼ ବେଶ ପାଳିତ ହୋଇଆସୁଛି ।

ତେବେ ଏହି ବେଶରେ ଏକ ଛୋଟ ସ୍ୱର୍ଣ୍ଣ କୀରିଟ ଠାକୁରଙ୍କ କପାଳର ଶୀର୍ଷ ଭାଗରେ ଶୋଭା ପାଇଥାଏ। ଲକ୍ଷ୍ମୀନାରାୟଣ ବେଶରେ ଲାଗୁଥିବା ଅଧିକାଂଶ ଅଳଙ୍କାର ଏଥିରେ ବ୍ୟବହୃତ ହୋଇଥାଏ । ଜଗନ୍ନାଥ ଚକ୍ର ଓ ଶଙ୍ଖ ଏବଂ ବଳଭଦ୍ର ହଳମୂଷଳ ଧାରଣ କରନ୍ତି । ଏହି ବେଶରେ ସୁଭଦ୍ରାଙ୍କ ଆଭୂଷଣ ପରିବର୍ତ୍ତନ ହୁଏନାହିଁ । ମାତ୍ର ତାଙ୍କର ମସ୍ତକ ସୂବର୍ଣ୍ଣ କିଆରେ ଶୋଭିତ ହୁଏ । ଭୋଗ ମଣ୍ଡପ ଶେଷ ହେବାପରେ ଠାକୁରମାନଙ୍କ ଏହି ଆକର୍ଷଣୀୟ ବେଶ ଦର୍ଶନ ନିମିତ୍ତ ସର୍ବ ସାଧାରଣଙ୍କ ଉଦ୍ଦେଶ୍ୟରେ ସାହାଣ ମେଳା ଦର୍ଶନ ହେଇଥାଏ। କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ହେତୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ କଟକଣା ରହିଛି। ଫଳରେ ମହାପ୍ରଭୁଙ୍କ ଏହି ବେଶ ଦର୍ଶନରୁ ଭକ୍ତ ବଞ୍ଚିତ ହେବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 26, 2020, 7:43 AM IST

ABOUT THE AUTHOR

...view details