ଓଡିଶା

odisha

ETV Bharat / state

Panchayat Poll: ପ୍ରଚାରରେ କମ୍ପୁଛି ଗାଁ, ଚାରିଆଡୁ ଶୁଭୁଛି ବିକାଶ ନାରା - ପୁରୀରେ ପଞ୍ଚାୟତ କ୍ୟାମ୍ପେନ ଜୋରଦାର

ପଞ୍ଚାୟତ ନିର୍ବାଚନକୁ ନେଇ ପୁରୀ ଜିଲ୍ଲାରେ ସରଗରମ୍ ରହିଛି ରାଜନୀତି । କିଏ ଚାକିରି ଛାଡି ନିର୍ବାଚନ ଲଢୁଛି ତ ଆଉ କିଏ ଓଲିଉଡରୁ ଏଣ୍ଟ୍ରି ମାରିଛି ଗାଁ ରାଜନୀତିରେ । ବିକାଶର ନାରା ନେଇ ଭୋଟ୍ ଭିକ୍ଷା କରୁଛନ୍ତି ସମସ୍ତେ । ଅଧିକ ପଢନ୍ତୁ

Panchayat Polls: ପ୍ରଚାରରେ କମ୍ପୁଛି ଗାଁ, ଚାଲିଛି ଭୋଟ୍ ଭିକ୍ଷା
Panchayat Polls: ପ୍ରଚାରରେ କମ୍ପୁଛି ଗାଁ, ଚାଲିଛି ଭୋଟ୍ ଭିକ୍ଷା

By

Published : Feb 8, 2022, 2:03 PM IST

Updated : Feb 8, 2022, 3:52 PM IST

ପୁରୀ: ପଞ୍ଚାୟତ ରାଜନୀତିକୁ ନେଇ ଉଠୁଛି ପଡୁଛି ଗାଁ । ପ୍ରଚାର ସାଙ୍ଗକୁ ଗାଁ ଗାଁରେ ଜମୁଛି ଭୋଜି ଭାତର ଆସର । କ୍ଷମତା ପାଇଁ କଳବଳ ଲଗାଇଛନ୍ତି ସମସ୍ତେ । କିଏ ମୋଟା ଅଙ୍କର ଦରମା ଯୁକ୍ତ ଚାକିରି ଛାଡି ପଞ୍ଚାୟତ ମୈଦାନକୁ ଆସିଛି ତ ଆଉ କିଏ ଚକାଚକ୍ ଦୁନିଆରୁ ଏଣ୍ଟ୍ରି କରିଛି ଗାଁ ରାଜନୀତିରେ । ଲୋକଙ୍କ ସେବା କରିବାର ନାରା ଦେଇ ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ । ପୁରୀ ଜିଲ୍ଲାରେ ମଧ୍ୟ ନିର୍ବାଚନୀ ମାହୋଲ ସରଗରମ୍ ରହିଛି । ଏଠାରେ ବିଭିନ୍ନ କ୍ଷେତ୍ରରୁ ଆସିଥିବା ପ୍ରାର୍ଥୀ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି ।

ପୁରୀ ଜିଲ୍ଲା କାକଟପୁର ବ୍ଳକ ବାଙ୍ଗୁରିଗାଁ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ହୋଇଥିବା ସତ୍ୟବ୍ରତ ପ୍ରଧାନ ଦିଲୀରୁ କର୍ପୋରେଟ ଚାକିରି ଛାଡି ନିର୍ବାଚନ ମଇଦାନରେ ଓହ୍ଲାଇଛନ୍ତି । ନିଜ ଅଞ୍ଚଳର ବିକାଶ ପାଇଁ ଦିଲୀରୁ ଭଲ ଚାକିରୀ ଛାଡି ଦୀର୍ଘ ବର୍ଷ ହେବ ନିଜ ଅଞ୍ଚଳରେ ଲୋକଙ୍କ ସେବାରେ ରହିଛନ୍ତି । ଲୋକଙ୍କ ଆଶୀର୍ବାଦ ନେଇ ସେ ଏଥର ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ଏବଂ ନିର୍ବାଚନ ଜିତିଲେ ଆହୁରି ଜନତାଙ୍କ ସେବା ସହ ନିଜ ପଞ୍ଚାୟତର ବିକାଶ କରିବେ ବୋଲି କହିଛନ୍ତି ସତ୍ୟବ୍ରତ ପ୍ରଧାନ ।

Panchayat Poll: ପ୍ରଚାରରେ କମ୍ପୁଛି ଗାଁ, ଚାରିଆଡୁ ଶୁଭୁଛି ବିକାଶ ନାରା

ପୁରୀ ସଦର ବ୍ଳକ କାଶିହରିପୁର ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ହୋଇ ଥିବା ନିରଞ୍ଜନ ନାଏକ ଏବେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛନ୍ତି । ନିରଞ୍ଜନ ଓଡିଉଡ୍ ଜଗତର ଜଣେ ଜଣାଶୁଣା ପ୍ରଯୋଜକ । ହେଲେ ଚକାଚକ୍ ଦୁନିଆରୁ ସେ ରାଜନୀତିର ଗୋଳିଆ ପାଣିରେ ପାଦ ବୁଡାଇଛନ୍ତି । ତାଙ୍କ ପରିବାର ପୂର୍ବରୁ ଲୋକଙ୍କ ସେବାରେ ରହିଛି । ସେଥାପାଇଁ ଲୋକଙ୍କ ଶୁଭେଚ୍ଛା ଓ ସମର୍ଥନ ତାଙ୍କ ପ୍ରତି ଅଛି । ଜନସାଧାରଣଙ୍କ ସମର୍ଥନରେ ସେ ସମିତି ସଭ୍ୟ ପ୍ରାର୍ଥୀ ହୋଇଥିବାବେଳେ ବିପୁଳ ସଂଖ୍ୟକ ଭୋଟ୍‌ରେ ବିଜୟୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେହିପରି ସରପଞ୍ଚ ପ୍ରାର୍ଥୀ ହୋଇଥିବା କୁନା ବାରିକ ମଧ୍ୟ ପୂର୍ବରୁ ସମାଜସେବା ସହ ଜଡିତ ଥିବାରୁ ଲୋକମାନେ ତାଙ୍କୁ ଜିତାଇବେ ବୋଲି ଆଶା ରଖିଛନ୍ତି।

ପୁରୀ ଜିଲ୍ଲା ଗୋପର 11 ନମ୍ବର ଜୋନରୁ ସ୍ଵାଧୀନ ପ୍ରାର୍ଥୀ ଜିଲ୍ଲା ପରିଷଦ ଭାବେ ଲଢ଼ୁଛନ୍ତି ବିଶ୍ଵଜିତ ମହାନ୍ତି । ନିଜର ପରୋପକାର ପାଇଁ ସେ ସ୍ଥାନୀୟ ଅଞ୍ଚଳରେ ଖ୍ୟାତି ଅର୍ଜନ କରିଛନ୍ତି । ବିଭିନ୍ନ ଦଳରୁ ଦୁର୍ନୀତିଗ୍ରସ୍ତ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବାରୁ ଲୋକଙ୍କୁ ନ୍ୟାୟ ଦେବା, ଲୋକଙ୍କ ସେବା ଓ ଅଞ୍ଚଳର ବିକାଶ ପାଇଁ ସେ ସ୍ଵାଧୀନ ପ୍ରାର୍ଥୀ ଭାବେ ଠିଆ ହୋଇଥିବା କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Feb 8, 2022, 3:52 PM IST

ABOUT THE AUTHOR

...view details