ବ୍ରହ୍ମଗିରି: ବଟମହାବୀର ମନ୍ଦିରରେ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି । ମହାବିଷୁବ ସଂକ୍ରନ୍ତି ସହ ହନୁମାନ ଜୟନ୍ତୀ ଅବସରରେ ଚଳଚଞ୍ଚଳ ହୋଇଉଠିଥିଲା ପୁରା ପରିବେଶ । ପୁରୀ ଜିଲ୍ଲା ବ୍ରହ୍ମଗିରି ପଞ୍ଚାୟତରେ ପ୍ରସିଦ୍ଧ ବଟ ମହାବୀର ମନ୍ଦିରରେ ବେଶ ଧୁମଧାମରେ ଉତ୍ସବ ପାଳନ ହୋଇଛି।
ଏହି ମନ୍ଦିରରେ 25 ବର୍ଷ ଧରି ହନୁମାନ ଜୟନ୍ତୀ ପାଳନ କରାଯାଏ । ଗତକାଲି (ଗୁରୁବାର) ସକାଳ 4ଟାରେ ମନ୍ଦିର ଖୋଲା ଯାଇ ସମସ୍ତ ନୀତିକାନ୍ତି ସରିବା ପରେ ଦର୍ଶନ ଆରମ୍ଭ ହୋଇଥିଲା । ଦିନ ତମାମ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ପ୍ରଭୁଙ୍କୁ ଦର୍ଶନ କରିବା ସହ ଏଠାକାର ପ୍ରସିଦ୍ଧ ପଣା ଭୋଗ ପାଇବା ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ପଣାରେ କ୍ଷୀର,ଛେନା, ଖୁଆ,ଏକାଧିକ ଫଳ,କଦଳୀ,ନଡ଼ିଆ ଏବଂ ଗୋଲମରିଚ ଇତ୍ୟାଦି ପଡି ପ୍ରସ୍ତୁତ କରାଯାଏ।