ପୁରୀ:ଆଜି ଶ୍ରୀବିଗ୍ରହମାନଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ । ମାର୍ଗଶୀର-କୃଷ୍ଣ ସପ୍ତମୀ ତିଥିରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପଇତାଲାଗି ନୀତି ହେବ । ଏହି ସ୍ବତନ୍ତ୍ର ନୀତି ପାଇଁ 5 ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା 5ଟାରୁ ରାତ୍ର 10ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ପଇତାଲାଗି ହେବେ ମହାପ୍ରଭୁ । ମାର୍ଗଶୀର-କୃଷ୍ଣ ସପ୍ତମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ । ତେଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ ୫ଟା ରୁ ରାତ୍ର ୧୦.୦୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଶ୍ରୀଜିଉଙ୍କ ଠାରେ ଦୈନଦିନ ଲାଗି ହେଉଥିବା ଚନ୍ଦନକୁ ବାସୁଙ୍ଗାପାଟରେ ପ୍ରସ୍ତୁତ ଏହି ପଇତା ସୁରକ୍ଷା ଦେବ । ମହାପ୍ରଭୁଙ୍କର ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସନ୍ଧ୍ୟାରୁ 5 ଘଣ୍ଟା ଧରି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ ।
ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ଏହି ଗୁପ୍ତ ନୀତି ସମ୍ପାଦିତ ହେବାକୁ ଥିବା ବେଳେ ଗୋଷ୍ଠୀଗତ ଭାବରେ ଏହି ନୀତିକୁ ଦଇତାପତି ସେବାୟତମାନେ ସମ୍ପାଦିତ କରିବେ । ନୀତି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ବାସୁଙ୍ଗା ପାଟ ନେଇ ପାଟରା ସେବକ ମାନେ ଶ୍ରୀଲକ୍ଷ୍ମୀ ମନ୍ଦିର ଜଗମୋହନରେ ବସି ପାଟ ପଇତା ବୋଳିଥାନ୍ତି । ଏହି ପଇତାକୁ ଦେଉଳ-କରଣଙ୍କୁ ଯୋଗାଇଥାନ୍ତି । ପରେ ସେହି ବାସୁଙ୍ଗା ପାଟରେ ପ୍ରସ୍ତୁତ ପଇତାକୁ ଶ୍ରୀବିଗ୍ରହଙ୍କୁ ଲାଗି କରାଯାଇଥାଏ । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ପଇତା ଲାଗିର ପରମ୍ପରା ରହି ଆସିଛି ।