ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ ହୋଇଛି । ସକାଳ ବଲ୍ଲଭ ଭୋଗ ବସିବା ପରେ ପହିଲି ଭୋଗ ଅନୁଷ୍ଠିତ ହୋଇଛି । ମହାପ୍ରଭୁ ନିଜ ମାଆଙ୍କ ହାତ ପରସା ଖାଇଛନ୍ତି ।
ପୌରଣିକ କଥା ବସ୍ତୁ ଅନୁଯାୟୀ, ଆଜି ଠାରୁ ଲକ୍ଷ୍ମୀ ଠାକୁରାଣୀ ଏକମାସ ପାଇଁ ବାପ ଘରକୁ ଚାଲିଯିବା ପରେ ମାଆ ଯଶୋମତିଙ୍କ ହାତ ପରସା ଖାଇଥାନ୍ତି ମହାପ୍ରଭୁ । ଶୀତ ବଢିଛି । ମହାପ୍ରଭୁ ଘୋଡଲାଗି ହୋଇ ରତ୍ନସିଂହାସନରେ ବସିଛନ୍ତି । ଏପଟେ ବଡିଭୋରରୁ ମାଆ ଯଶୋମତି ନିଜ ହାତରେ ସ୍ବତନ୍ତ୍ର ପିଠା ପ୍ରସ୍ତୁତ କରିଛନ୍ତି । ଗହମ ଓ ବିରି ଘୃତପାକ ହୋଇ ପ୍ରାୟ ବତିଶ ପ୍ରକାର ପିଠା ପ୍ରସ୍ତୁତ କରି ବେଶ ସରିବା ପରେ ମହାପ୍ରଭୁଙ୍କ ପାଖରେ ଲାଗି ହୋଇଥାଏ । ନୀତି ନିର୍ଘଣ୍ଟ ଅନୁଯାୟୀ ଠାକୁରଙ୍କୁ ପହିଲି ଭୋଗ ସମର୍ପଣ କରାଯାଇଛି । ଆଜି ଧନୁସଂକ୍ରାନ୍ତିରେ ମଧ୍ୟ ଧନୁମୁଆଁ ଲାଗି କରିବାର ପରମ୍ପରା ରହିଛି ।
ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି ତେବେ ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ଏହି ନୀତି ଦୀର୍ଘ ମାସେ ଧରି ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ।ଏହି ଏକମାସ ବ୍ୟାପି ରୋଷ ଘରେ ମହାପ୍ରଭୁଙ୍କ ପହିଲି ଭୋଗ ପ୍ରସ୍ତୁତ କରାଯାଏ ।
ଏହି ପହିଲି ଭୋଗରେ ମହାପ୍ରଭୁଙ୍କ ପାଇଁ ବିଭିନ୍ନ ବ୍ୟଞ୍ଜନ, ବଡ ଝିଲି, ଦରସୁଆ ବଡ଼ି, ଦରସୁଆ ଝିଲି, ବଡ଼ବଡା, କାକେରା, ଅମାଲୁ, ନଳୀ, ଏଣ୍ଡୁରି, ମୁଗେଇ, ଚଢ଼େଇନଦା, ଲଡ଼ୁ, ଗଜା, ଗଇଁଠା, ମଣ୍ଡା ଓ ଖଇର ଚୁଳ ଆଦି ମହାପ୍ରଭୁଙ୍କୁ ଭୋଗ କରାଯାଇଥାଏ । ପ୍ରତିଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ମହାପ୍ରଭୁଙ୍କ ଅବକାଶ ଓ ମଙ୍ଗଳ ଆଳତୀ ବଢିବା ପରେ ମହାପ୍ରଭୁଙ୍କୁ ପହିଲି ଭୋଗ ଲାଗି କରାଯାଏ । ଏହି ଅବସରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ ଲାଗି ଥାଏ । ତେବେ କୋଭିଡ କଟକଣା ହେତୁ ଶ୍ରୀମନ୍ଦିର ରେ ଦର୍ଶନ ବ୍ୟବସ୍ଥା ବନ୍ଦ ରହିଛି । ମହାପ୍ରଭୁଙ୍କ ରୀତିନୀତି ଅନୁଯାୟୀ ଆଜିଠାରୁ ସହରରେ ଥିବା ବିଭିନ୍ନ ଦେବଦେବୀ ମନ୍ଦିର ସମେତ ଜାଗା ଆଖଡ଼ାମାନଙ୍କରେ ମଧ୍ୟ ପାହିଲି ଭୋଗ ନୀତି ଅନୁଷ୍ଠିତ ହୋଇଥାଏ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ