ପୁରୀ:ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଆରମ୍ଭ ହୋଇଛି ସ୍ବତନ୍ତ୍ର ନୀତିକାନ୍ତି । ଶ୍ରୀଜିଉଙ୍କ ସ୍ବତନ୍ତ୍ର ପହିଲି ଭୋଗ ନୀତି ଅନୁଷ୍ଠିତ ହୋଇଛି । ପହିଲି ଭୋଗରେ ବିରି, ଗହମଚୁନା, ଘୃତ ପାଗ ହୋଇଥିବା ୩୨ ପ୍ରକାରର ପିଠା ଓ ଧନୁମୁଆଁ ଲାଗି ହୋଇଛି । ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଲୋକ କଥା ରହିଛି ଆଜିଠାରୁ ମା' ମହାଲକ୍ଷ୍ମୀ ଦୀର୍ଘ ଏକମାସ ପର୍ଯ୍ୟନ୍ତ ନିଜ ପିତ୍ରାଳୟକୁ ଯାଇଥାନ୍ତି । ତେଣୁ ଶ୍ରୀମନ୍ଦିରରେ ଲକ୍ଷ୍ମୀଙ୍କ ଅନୁପସ୍ଥିତ ବେଳେ ମା' ଯଶୋଦା ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପାଇଁ ବିବିଧ ସ୍ଵାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି । ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପୂର୍ବ ଦିନ ପର୍ଯ୍ୟନ୍ତ ପହିଲି ଭୋଗ ପ୍ରସ୍ତୁତ ହୋଇଥାଏ ।
ପହିଲି ଭୋଗ କଣ ? ପହିଲି ଭୋଗ ନୀତି ହେଉଛି ମହାପ୍ରଭୁଙ୍କ ଆଦ୍ୟ ଭୋଗ ଯାହାକି କାଉ କା କରିବା ପୂର୍ବରୁ ଏହା ମହାପ୍ରଭୁଙ୍କ ପାଖରେ ଲାଗି କରାଯାଇଥାଏ । ବିରି ଓ ଗହମରେ ପ୍ରସ୍ତୁତ ୩୨ ପ୍ରକାରର ପିଠାପଣା ଶ୍ରୀଜିଉଙ୍କ ନିକଟରେ ଲାଗି କରାଯାଇଥାଏ । ପହିଲି ଭୋଗରେ ମୁଖ୍ୟତଃ ବଡଝିଲି, ଅମାଲୁ, ଗଇଣ୍ଠା, ଆରିସା, କାକରା, ମଣ୍ଡା, ଚଢ଼େଇନେଦା ଓ ବଡ଼ି ଆଦି ଭୋଗ କରାଯାଇଥାଏ ।