ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମ ବେଶ ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ ବସନ୍ତ ପଞ୍ଚମୀ ପୂର୍ବରୁ ପଡୁଥିବା ବୁଧବାର ଅବା ଶନିବାର ଦିନ ଏହି ବେଶ କରାଯାଇଥାଏ । ବର୍ଷକରେ କେବଳ ଏହି ଗୋଟିଏ ଦିନ ମହାପ୍ରଭୁ ପଦ୍ମବେଶରେ ହିଁ ପହୁଡ଼ ଯାଆନ୍ତି । ବଡ଼ସିଂହାର ବେଶରେ ମହାପ୍ରଭୁଙ୍କ ଏହି ପଦ୍ମ ବେଶ ହୋଇଥାଏ । ଏହି ବେଶର ପ୍ରବର୍ତ୍ତକ ହେଉଛନ୍ତି ବଡ଼ଛତା ମଠର ସନ୍ଥ ରଘୁବର ଦାସ।
ତେବେ କିମ୍ବଦନ୍ତୀ ଅନୁଯାୟୀ ପୂର୍ବ କାଳରେ ଜଣେ ସାଧୁ ଥିଲେ ମନୋହର ଦାସ । ଏକଦା ସାଧୁ ମନୋହର ଦାସ ଜଗନ୍ନାଥଙ୍କୁ ଦର୍ଶନ କରିବା ଉଦ୍ଦେଶ୍ୟରେ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ । ତାଙ୍କର ପ୍ରବଳ ଆକାଂକ୍ଷା ଥିଲା ଶ୍ରୀକ୍ଷେତ୍ର ରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ । ଦୀର୍ଘ ଦିନ ପାଦରେ ଚାଲି ଚାଲି ଅନେକ ଜଙ୍ଗଲ, ପାହାଡ଼, ନଈ, ରାସ୍ତା ଅତିକ୍ରମ କରି ଶାରୀରିକ ପୀଡା ସତ୍ତ୍ବେ ସେ ଅବିଚଳିତ ଭାବେ ଆଗେଇ ଚାଲିଥାନ୍ତି । ରାସ୍ତାରେ ଆସୁଥିବା ମଧ୍ୟରେ ରାତ୍ରି ହୋଇଗଲେ କୌଣସି ମନ୍ଦିର, ମଠ, ଆଶ୍ରମ କିମ୍ବା ବୃକ୍ଷ ତଳେ ବିଶ୍ରାମ ନିଅନ୍ତି । ପାଦରେ ଚାଲି ଚାଲି ଯାଉଥିବା ବେଳେ ସାଧୁଙ୍କୁ ଥରେ ଭୀଷଣ ଶୋଷ ହେଲା । ପାଖରେ କୈଣସି ଗ୍ରାମ କିମ୍ବା ଜଳାଶୟ ନଥିଲା । କିଛି ପଥ ଅତିକ୍ରମ କରିବା ପରେ ହଠାତ ତାଙ୍କର ଦୃଷ୍ଟି ଗୋଚର ହେଲା ଗୋଟିଏ ପୁଷ୍କରିଣୀରେ ଅନେକ ପଦ୍ମ ଫୁଲ ଫୁଟିଛି। ସେ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ କାରଣ ଶୀତଦିନରେ ପଦ୍ମ ଫୁଲ ଫୁଟିବା ସମ୍ଭବ ନୁହେଁ । ସେ ମନେମନେ ଜଗନ୍ନାଥଙ୍କୁ ସୁମରଣ କରି ପାଣି ପିଇ ପ୍ରଭୁଙ୍କ ନିମନ୍ତେ ପୁଷ୍କରିଣୀରେ ଫୁଟିଥିବା ପଦ୍ମକୁ ତୋଳି ଏକ ଗାମୁଛାରେ ନେଇଥିଲେ ।