ଓଡିଶା

odisha

ETV Bharat / state

ପୁରୀରେ ମରଣଯନ୍ତା ମୁକୁଳା ଡ୍ରେନ, ପୌର ପ୍ରଶାସନର ଅପାରଗତା ପାଇଁ ଗଡୁଛି ମୁଣ୍ଡ

ପୁରୀରେ ମରଣଯନ୍ତା ପାଲଟିଛି ମୁକୁଳା ଡ୍ରେନ । ଗଡି ଚାଲିଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । ହେଲେ ମୁକୁଳା ଡ୍ରେନ ଉପରେ ସ୍ଲାବ ପକାଇବାକୁ ପାଇଁ ବାରମ୍ବାର ଦାବି ସତ୍ତ୍ବେ ଧ୍ୟାନ ଦେଉନି ପୌର ପ୍ରଶାସନ । ଅଧିକ ପଢନ୍ତୁ

ପୁରୀରେ ମରଣଯନ୍ତା ମୁକୁଳା ଡ୍ରେନ
ପୁରୀରେ ମରଣଯନ୍ତା ମୁକୁଳା ଡ୍ରେନ

By

Published : Nov 8, 2022, 10:12 PM IST

ପୁରୀ: ଐତିହ୍ୟ ସହର ପୁରୀରେ ମରଣଯନ୍ତା ପାଲଟିଛି ମୁକୁଳା ଡ୍ରେନ । ପୁରୀ ପୌର ପ୍ରଶାସନର ଅପାରଗତା ଯୋଗୁଁ ମୁକୁଳା ଡ୍ରେନରେ ପଡି ପୁଣି ଗୋଟିଏ ନିରୀହ ଜୀବନ ଚାଲିଯାଇଛି । ରବିବାର ଦିନ ସହରର ରେଡକ୍ରସ ରୋଡ ଅନ୍ତର୍ଗତ ପୋଲିସ ହାଇସ୍କୁଲ ନିକଟରେ ମୁକୁଳା ଡ୍ରେନ‌‌ରେ ପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି(Man Dies After Falling Into Drain In Puri) । ହାଇସ୍କୁଲ ନିକଟରେ ଏହି ଅଘଟଣ ଘଟିଥିବା ବେଳେ ଆଗାମୀ ଦିନରେ ସ୍କୁଲର ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ଏହା ବିପଦ ଥିବା ଆଶଙ୍କା କରାଯାଉଛି । ପୁରୀ ସହରରେ ଅନେକ ବଡ ବଡ ଡ୍ରେନ୍ ଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ମୁକୁଳା ଅବସ୍ଥାରେ ରହିଛି । ବିଭିନ୍ନ ସଙ୍ଗଠନ, ସହରବାସୀଙ୍କ ବାରମ୍ବାର ଦାବି ସତ୍ତ୍ୱେ ଏହାକୁ ନଜରଅନ୍ଦାଜ କରିଚାଲିଛି ପୌରପଳିକା । ଯଦି ମୁକୁଳା ଡ୍ରେନ‌୍‌ ଉପରେ ତୁରନ୍ତ ସ୍ଲାବ୍ ନପଡେ ଆଗାମୀ ଦିନରେ ଏଭଳି ଅଘଟଣ ଘଟି ଅନେକ ଜୀବନହାନୀ ହେବାର ଆଶଙ୍କା ଥିବା ସହରବାସୀ କହିଛନ୍ତି ।

ପୁରୀରେ ମରଣଯନ୍ତା ମୁକୁଳା ଡ୍ରେନ, ପୌର ପ୍ରଶାସନର ଅପାରଗତା ପାଇଁ ଗଡୁଛି ମୁଣ୍ଡ
ଗତ ତିନିବର୍ଷ ଭିତରେ ସହରର ବିଭିନ୍ନ ମୁକୁଳା ଡ୍ରେନ‌‌ ଯୋଗୁଁ ପାଞ୍ଚ ଜଣଙ୍କ ଜୀବନ ଯାଇଛି । ଗତ ମେ' ମାସରେ ମାର୍କେଟ ଛକରେ ଜଣେ ରିକ୍ସା ଚାଳକ ମୁକୁଳା ଡ୍ରେନ‌‌ରେ ପଡି ମୃତ୍ୟୁବରଣ କରିଥିଲେ । ସେହିପରି ଦତ୍ତତୋଟା, ବଳିଆ ପଣ୍ଡା, ବାଲିଘାଟ ଛକ ଓ ତାଳବଣିଆ ଆଇଟିଆଇ କଲେଜ ପାଖରେ ଥିବା ମୁକୁଳା ଡ୍ରେନ‌‌ରେ ପଡି ଅନେକ ବ୍ୟକ୍ତି ଏବଂ ଶିଶୁଙ୍କର ମୃତ୍ୟୁ ହୋଇଛି । ତେବେ ଦୁଃଖର ବିଷୟ ଏତେ ସବୁ ଅଘଟଣ ଘଟିବା ପରେ ମଧ୍ୟ ପୁରୀ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏହି ଘଟଣାକୁ ଅତି ହାଲୁକା ଭାବେ ନେଇଛନ୍ତି । ପୋଲିସ ହାଇସ୍କୁଲ ନିକଟରେ ଘଟିଥିବା ଅଘଟଣ ଘଟଣାରେ ପୌର ପାଳିକାର କୌଣସି ଦୋଷ ନଥିବା କହି ନିଜ ମୁଣ୍ଡରୁ ଦୋଷ ଖସାଇବା ସହ ଏଥିପାଇଁ ପୂର୍ତ୍ତ ବିଭାଗକୁ ଦାୟୀ କରିଛନ୍ତି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ।

ଏହାମଧ୍ୟ ପଢନ୍ତୁ: ଶ୍ରୀମନ୍ଦିରରେ ହବିଷ୍ୟାଳୀଙ୍କୁ ଆକ୍ରମଣ ଘଟଣା, ନିଲମ୍ବିତ ହେଲେ ହାବିଲଦାର


ପୁରୀ ବିଶ୍ବ ଐତିହ୍ୟ ସହରରେ ପରିଣତ ହେଉଥିବା ବେଳେ ମୁକୁଳା ଡ୍ରେନ‌‌ର ସମସ୍ୟା ସମାଧାନ ଦିଗରେ ପ୍ରଶାସନ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ହେଲେ ଦୁର୍ଭାଗ୍ୟର ବିଷୟ କୌଣସି ଅଘଟଣ ଘଟିଲେ ପୁରୀ ପୌରପାଳିକାର ଅଧିକାରୀ ଅନ୍ୟ ବିଭାଗ ଉପରେ ଦୋଷ ଲଦି ଦେଇ ଖସିଯିବାକୁ ଚେଷ୍ଟା କରୁଛି । ଯାହାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି ।


ଇଟିଭି ଭାରତ, ପୁରୀ

ABOUT THE AUTHOR

...view details