ପୁରୀ: ବଡ଼ଦାଣ୍ଡରେ ଆଉ ଜଣେ ଉଚ୍ଚଶିକ୍ଷିତା ଭିକାରୀ । ଶ୍ରୀଜିତ ପାଢୀଙ୍କ ପରେ ପୁରୀ ବଡଦାଣ୍ଡରେ ଆଉ ଜଣେ ଉଚ୍ଚଶିକ୍ଷିତା ଭିକାରୀଙ୍କୁ ଠାବ କରାଯାଇଛି । ପରିବାରକୁ ହରାଇବା ପରେ ମାନସିକ ଭାରସାମ୍ୟ ହରାଇ ସାକ୍ଷୀଗୋପାଳ ଅଞ୍ଚଳର ମମତା ଓରଫ ଲକ୍ଷ୍ମୀପ୍ରିୟା ମିଶ୍ର ଭିକ୍ଷା ବୃତିକୁ ଆଦରି ନେଇଛନ୍ତି ।
ପୁଣି ବଡଦାଣ୍ଡରେ ଉଚ୍ଚ ଶିକ୍ଷିତା ଭିକାରୀ ମମତା ପୁରୀ ବାଳିକା ହାଇସ୍କୁଲରେ ୫ ବର୍ଷ ଶିକ୍ଷକତା କରିଥିଲେ । ପରେ ବିଦେଶରେ ମଧ୍ୟ ୧୦ ବର୍ଷ ଶିକ୍ଷକତା କରିଥିଲେ । ଯେଉଁ ହାତ ଦିନେ ଶହ ଶହ ପିଲାଙ୍କୁ ଆକଟ କରି ବଡ଼ ମଣିଷ କରିଛି , ଆଜି ସେ ହାତ ଭିକ ମାଗିବାକୁ ବାଧ୍ୟ କରିଛି ସମୟ ଓ ପରିସ୍ଥିତି । ଭାଗ୍ୟର ବିଡମ୍ବନା ଯେ, କିଛି ବର୍ଷ ମଧ୍ୟରେ ତାଙ୍କର ପରିବାର ଛାରଖାର ହୋଇଯାଇଥିଲା । ଏକ ଦୁର୍ଘଟଣାରେ ତାଙ୍କ ସ୍ବାମୀ ପ୍ରାଣ ହରାଇଥିଲେ । ପୁଅ ବି ଘରଛାଡି କେଉଁ ଆଡେ ପଳାଇଥିଲେ । ନିମିଷକ ମଧ୍ୟରେ ସୁନାର ସଂସାର ଉଜୁଡ଼ିଗଲା । ଏତେ ବଡ଼ ଦୁନିଆରେ ଏକା ହୋଇଗଲେ ମମତା । ଫଳରେ ମାନସିକ ଭାରସାମ୍ୟ ହରାଇ ମମତା ବଡଦାଣ୍ଡରେ ଭିକ୍ଷାବୃତିକୁ ଆପଣାଇଥିଲେ । ସେହିଦିନ ଠାରୁ କାଳିଆ ଦୁଆରେ ଭିକ ମାଗୁଛନ୍ତି ଏହି ଶିକ୍ଷୟିତ୍ରୀ ଜଣକ ।
ତେବେ ଉଚ୍ଚ ଶିକ୍ଷିତା ଶିକ୍ଷୟିତ୍ରୀ ଜଣେ ବଡ଼ ଦାଣ୍ଡ ଭିକ ମାଗୁଥିବା ଜାଣି ପୁରୀର ଲ୍ୟାୟନ୍ସ କ୍ଲବ ସଦସ୍ୟମାନେ ତାଙ୍କୁ ଉଧାର କରି ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ଏପରିକି ଲକ୍ଷ୍ମୀପ୍ରିୟା ଭଲ ହେବା ଯାଏ ସମସ୍ତ ଦାୟିତ୍ବ ପୁରୀ ଲାୟନ୍ସ କ୍ଲବ ବୁଝିବ ବୋଲି କହିଛି । ପରେ ତାଙ୍କୁ କେହି ପରିବାର ଲୋକ ଯଦି ଆସନ୍ତି ତାଙ୍କୁ ହସ୍ତାନ୍ତର କରାଯିବ ନ ହେଲେ ଏକ ବୃଦ୍ଧାଶ୍ରମ ରେ ରହିବା ନେଇ ବ୍ୟବସ୍ଥା କରାଯିବ । ତେବେ ଲକ୍ଷ୍ମୀପ୍ରିୟା 1982 ମସିହାରେ ଶିକ୍ଷକ ଚାକିରୀ କରିଥିଲେ ପୁରୀ ବଡ଼ ଶଙ୍ଖ ବାଳିକା ହାଇସ୍କୁଲରେ । ପରେ 1995ରେ ଆର୍ଥିକ ସମସ୍ୟା ଯୋଗୁ ଆଫ୍ରିକାର ଇଥିଓପିଆ ପଳାଇ ଥିଲେ ଶିକ୍ଷକତା କରିବା ପାଇଁ । 10 ବର୍ଷ ଦେଶ ବାହାରେ ରହିବା ପରେ ଦେଶକୁ ଫେରି ପଞ୍ଜାବ ଓ ତାପରେ ଗୁଜୁରାଟ ଏବଂ ଦିଲ୍ଲୀରେ ମଧ୍ୟ ଶିକ୍ଷକତା କରିଥିଲେ । କିନ୍ତୁ ଏହି ସମୟରେ ତାଙ୍କ ପୁଅ କେଉଁ ଆଡେ ଚାଲି ଯାଇଥିଲେ । ପ୍ରଥମେ ସ୍ବାମୀ ଓ ତା ପରେ ପୁଅକୁ ହରାଇ ଲକ୍ଷ୍ମୀପ୍ରିୟା ଭାଙ୍ଗି ପଡ଼ିଥିଲେ । ପରେ ମାନସିକ ଭାରସାମ୍ୟ ହରାଇ ପୁରୀ ବଡ଼ ଦାଣ୍ଡରେ ଭିକ୍ଷା ବୃତି କରିଥିଲେ । ତେବେ ହଜିଲା ପୁଅକୁ ପାଇବା ଆଶାରେ ରେ ପ୍ରଭୂ ଜଗନ୍ନାଥଙ୍କ ଧାମରେ 7 ବର୍ଷ ହେବ ରହି ଆସୁଥିବା କହିଛନ୍ତି ଲକ୍ଷ୍ମୀପ୍ରିୟା ମିଶ୍ର ।
ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ