ପୁରୀ : ଆରମ୍ଭ ହୋଇଛି ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା । ପୁରୀର ପେଣ୍ଠକଟା ବେଳାଭୂମି ଅଣ୍ଡାଦାନ କରିଛନ୍ତି ଅଲିଭ ରିଡଲେ । ପୁରୀ ସହର ନିକଟରେ କଇଁଛ ଅଣ୍ଡା ଦେଇଥିବରୁ ପରିବେଶ ପ୍ରେମୀ ମହଲରେ ଉତ୍ସାହ ପ୍ରକାଶ ପାଇଛି । ହେଲେ ଆଶାମୁତାବକ ଅଲିଭ ରିଡଲେ କଇଁଛ ଅଣ୍ଡାଦାନ ପାଇଁ ପୁରୀ ଉପକୂଳକୁ ଆସି ନଥିବାରୁ ପରିବେଶ ପ୍ରେମୀ ମହଲରେ ଉଦବେଗ ପ୍ରକାଶ ପାଇଛି । ବିଶେଷ କରି ସମୁଦ୍ରର ନିଶିଦ୍ଧାଞ୍ଚଳରେ ଅବାଧ ଟ୍ରଲର ଚଳପ୍ରଚଳ ଯୋଗୁଁ ଅନେକ କଇଁଛ ମୃତାହତ ହେଉଥିବା ବେଳେ ଟ୍ରଲରର ଅତ୍ୟଧିକ ଶବ୍ଦ ଯୋଗୁଁ ଉପକୂଳକୁ ଆସୁନାହାନ୍ତି ଅଲିଭ ରିଡଲେ । ତେବେ ଏନେଇ ପୁରୀ ଉପକୂଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ପରିବେଶ ପ୍ରେମୀ ଦାବି କରିଛନ୍ତି ।
ପୁରୀ ପେଣ୍ଠକଟା ଉପକୂଳରୁ 113ଟି ଅଲିଭ ରିଡଲେ କଇଁଛ ଅଣ୍ଡା ଉଦ୍ଧାର ହୋଇଛି । ବିରଳ ଅଲିଭ ରିଡଲେ କଇଁଛ ଚଳିତ ବର୍ଷ ପୁରୀ ପେଣ୍ଠକଟା ବେଳାଭୂମିରେ ପ୍ରଥମ ଥର ପାଇଁ ଅଣ୍ଡାଦାନ କରିଛନ୍ତି । ଖବର ପାଇ ବନ ବିଭାଗ କର୍ମଚାରୀ ଅଣ୍ଡାକୁ ଉଦ୍ଧାର କରି ଏହାକୁ ନୁଆ ନଈ ହାଚେରିରେ ରଖାଯାଇଛି । ଅନ୍ୟପଟେ ଚଳିତ ବର୍ଷ ଅଲିଭ ରିଡଲେ କଇଁଛଙ୍କ ଆଗମନ ପୁରୀ ଉପକୂଳରେ ଯଥେଷ୍ଟ ହ୍ରାସ ପାଇଛି । ବିଶେଷ କରି ବନ ବିଭାଗର ଅବହେଳା ଯୋଗୁଁ ହ୍ରାସ ପାଇଥିବା ନେଇ ଦାୟୀ କରିଛନ୍ତି ପରିବେଶ ପ୍ରେମୀ ।