ପୁରୀ:ବଢିଲା ହରିଶ୍ଚନ୍ଦ୍ର ସହାୟତା ରାଶି । ପୁରୀ ସ୍ବର୍ଗଦ୍ବାରରେ ମୃତଦେହ ଦାହ ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ମିଳୁଥିବା ସହାୟତା ରାଶି ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ହରିଶ୍ଚନ୍ଦ୍ର ସହାୟତା ୩ ହଜାର ଟଙ୍କାରୁ ୪ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ଏହା ସୋମବାର ମଧ୍ୟରାତ୍ରରୁ ଲାଗୁ ହୋଇଛି । ଏହାସହିତ ସ୍ଵର୍ଗଦ୍ଵାର ସେବା କେନ୍ଦ୍ରରୁ ସେବା ନେଇଥିବା ବ୍ୟକ୍ତିମାନଙ୍କ ରେଜିଷ୍ଟ୍ରେଡ ମୋବାଇଲ ନମ୍ବରକୁ ଏସଏମଏସ ମାଧ୍ୟମରେ ବାର୍ତ୍ତା ପଠାଇବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ଯାହାଫଳରେ ଯଦି କେହି ତାଙ୍କ ରସିଦ ହଜାଇ ଦେଇଥାନ୍ତି ତେବେ ରେଜିଷ୍ଟ୍ରେସନ ନମ୍ବର ଦେଖାଇ ପୁଣି ସହଜରେ ଡୁପ୍ଲିକେଟ ରସିଦ ପାଇପାରିବେ ।
ହରିଶ୍ଚନ୍ଦ୍ର ସହାୟତାରେ ଜଣେ ବ୍ୟକ୍ତିବିଶେଷ ଦାହ କାର୍ଯ୍ୟ ପାଇଁ ପୂର୍ବରୁ ଦେଢ଼ କ୍ବିଣ୍ଟାଲ କାଠ ପାଉଥିବା ବେଳେ ଏବେ ଏହାକୁ ବୃଦ୍ଧି କରି ୧ କ୍ବିଣ୍ଟାଲ ୮୦ କେଜି କରାଯାଇଛି । ସେହିପରି ପଥ ଶ୍ରାଦ୍ଧ ସାମଗ୍ରୀ ମଧ୍ୟ ହରିଶ୍ଚନ୍ଦ୍ର ସହାୟତା ରାଶିରେ ଅନ୍ତର୍ଭୁକ୍ତ କରାଯାଇଛି । ସଂସ୍କାର ସାମଗ୍ରୀରେ ଘିଅ ପରିମାଣ ବୃଦ୍ଧି କରି ୨୦୦ ଗ୍ରାମରୁ ୩୦୦ ଗ୍ରାମ କରାଯାଇଛି । ମୃତଦେହ ସଂସ୍କାର ପାଇଁ ଆସୁଥିବା ବ୍ୟକ୍ତି କାଠ ବୋହିକି ନେବା ପାଇଁ ପୂର୍ବରୁ କେବଳ ଟ୍ରଲି ବ୍ୟବସ୍ଥା ଥିଲା । ଏହି ବ୍ୟବସ୍ଥାରେ ସୁଧାର ଆଣି କାଠ ବୋହିବା ପାଇଁ ୭ ଜଣ ପରିବହନ ସେବକ ମୁତୟନ କରାଯାଇଛି । ଏମାନେ ଦାହ ସଂସ୍କାର ସ୍ଥାନକୁ ଟ୍ରଲି ସାହାଯ୍ୟରେ କାଠ ବୋହି ନେବେ ।
ଏହାମଧ୍ୟ ପଢନ୍ତୁ: Banakalagi Ritual: ଆସନ୍ତା 9 ତାରିଖ ବୁଧବାର ହୋଇପାରେ ବନକଲାଗି ନୀତି