ପୁରୀ:ପାଖେଇ ଆସୁଛି 2024 ସାଧାରଣ ନିର୍ବାଚନ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏବେଠୁ ଆରମ୍ଭ ହେଲାଣି ଯୋରଦାର ପ୍ରସ୍ତୁତି । ରାଜ୍ୟରେ ପ୍ରମୁଖ ଦଳମାନେ ରାଜନୀତି ମଇଦାନକୁ ଓହ୍ଲାଇବା ପାଇଁ ଅଣ୍ଟା ଭିଡ଼ିଲେଣି । ଏହାରି ମଧ୍ୟରେ ଓଡ଼ିଶାରେ ଆମ୍ ଆଦମୀ ପାର୍ଟି (ଆପ) ବିଧାନସଭା ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ରାଜ୍ୟରେ କିଭଳି ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ କରାଯାଇପାରିବ ସେ ନେଇ ଉଦ୍ୟମ ଆରମ୍ଭ କରିଛନ୍ତି ଆପର ବରିଷ୍ଠ ନେତା ଓ କର୍ମକର୍ତ୍ତା । ଏନେଇ ଦଳ ତରଫରୁ ପୁରୀରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ।
ତେବେ ଆପର ଓଡ଼ିଶା ପ୍ରଭାରୀ ବିରେନ୍ଦ୍ର ସିଂ କାର୍ଡିଆନ ପୁରୀ ଗସ୍ତରେ ଆସି କର୍ମୀ ସମ୍ମିଳନୀରେ ଯୋଗ ଦେଇ ଆଗାମୀ କାର୍ଯ୍ୟ ପନ୍ଥା ନେଇ ସବିଶେଷ ଆଲୋଚନା କରିଛନ୍ତି । ପ୍ରଥମେ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଦର୍ଶନ କରି କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ । କାର୍ଡିଆନ କହିଛନ୍ତି, "ଆଗାମୀ ବିଧାନସଭା ନିର୍ବାଚନରେ ଆପ ଓଡ଼ିଶାରେ ଲଢିବ । ଏନେଇ ସର୍ଭେ ଚାଲିଛି । କେଉଁ ସ୍ଥାନରେ କିଭଳି ସ୍ଥିତି ରହିଛି ଏବଂ କେଉଁ ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବ ସେ ନେଇ ଆଲୋଚନା ହେଉଛି । ଓଡ଼ିଶାର କେତୋଟି ବିଧାନସଭା ଆସନରେ ଦଳ ପ୍ରାର୍ଥୀ ଦେବ ସେ ନେଇ ମଧ୍ୟ ଦଳର ବରିଷ୍ଠ ନେତାମାନେ ଆଲୋଚନା କରିବା ପରେ ନିଷ୍ପତ୍ତି ନିଆଯିବ । ଓଡ଼ିଶାରେ ବିଜେଡି ସରକାରର ଦୁର୍ନୀତି, ଭ୍ରଷ୍ଟାଚାର, ମହିଳା ନିର୍ଯାତନା, ବିପର୍ଯ୍ୟସ୍ତ ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି ସେବା ପ୍ରସଙ୍ଗକୁ ନେଇ ଦଳ ନିର୍ବାଚନ ଲଢ଼ିବ । ସ୍କୁଲରେ ଶିକ୍ଷକ ନଥିବା ବେଳେ 5ଟି ରୂପାନ୍ତରଣ ନାମରେ କେବଳ ନୂଆ ଘର, କାନ୍ଥରେ ରଙ୍ଗ ବୋଳି ବିଜେଡି ସରକାର ଯେଭଳି ଉନ୍ନତ ଶିକ୍ଷା ଭିତ୍ତିଭୂମି ନାମରେ ଲୋକଙ୍କୁ ଭୁଆଁ ବୁଲାଉଛି ଆପ୍ ଏହାକୁ କଡ଼ା ସମାଲୋଚନା କରୁଛି ।"