ଓଡିଶା

odisha

ETV Bharat / state

ଆତଙ୍କୀ ଆକ୍ରମଣରେ ଓଡ଼ିଆ ଯବାନ ଦେବାଶିଷ ଶହୀଦ, ମୁଖ୍ୟମନ୍ତ୍ରୀଙ୍କ ଶୋକ - odia jawan debashis biswal

ଜମ୍ମୁ କାଶ୍ମୀର ପୁଞ୍ଚରେ ହୋଇଥିବା ଆତଙ୍କବାଦୀ ଗ୍ରେନେଡ ମାଡରେ ଜଣେ ଓଡିଆ ଯବାନ ଶହୀଦ ହୋଇଛନ୍ତି । ସେ ହେଉଛନ୍ତି ପୁରୀ ଜିଲ୍ଲା ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହିର ଦେବାଶିଷ ବିଶ୍ବାଳ ।

jawan debasis biswal killed in terror attack
ଆତଙ୍କବାଦୀ ଆକ୍ରମଣରେ ଓଡ଼ିଆ ଯବାନ ଦେବାଶିଷ ଶହୀଦ

By

Published : Apr 21, 2023, 7:11 AM IST

Updated : Apr 21, 2023, 9:38 AM IST

ଆତଙ୍କୀ ଆକ୍ରମଣରେ ଓଡ଼ିଆ ଯବାନ ଦେବାଶିଷ ଶହୀଦ

ପୁରୀ:ଜମ୍ମୁ କାଶ୍ମୀର ପୁଞ୍ଚରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଜଣେ ଓଡିଆ ଯବାନ ଶହୀଦ ହୋଇଛନ୍ତି । ସେ ହେଉଛନ୍ତି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହିର ଦେବାଶିଷ ବିଶ୍ବାଳ । ପୁଅକୁ ହରାଇ ସ୍ତବ୍ଧ ପରିବାର । ଏ ଅଘଟଣକୁ କେହି ସହଜରେ ଗ୍ରହଣ କରି ପାରୁନାହାନ୍ତି । ଓଡିଆ ପୁଅ ଦେବାଶିଷଙ୍କ ଶହୀଦ ଖବର ସେନା ମୁଖ୍ୟାଳୟରୁ ଆସିବା ପରେ ଖଣ୍ଡାୟତ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହିର ପ୍ରତାପ ବିଶ୍ବାଳ ଓ ମମତା ବିଶ୍ବାଳଙ୍କ ପୁଅ ଦେବାଶିଷ ବିଶ୍ବାଳ । ଆତଙ୍କବାଦୀ ଆକ୍ରମଣରେ ସେ ଶହୀଦ ହୋଇଥିବା ସେନା ମୁଖ୍ୟାଳୟରୁ ପରିବାରକୁ ଖବର ଦିଆଯାଇଥିଲା । ଦୁଇ ବର୍ଷ ତଳେ ଅର୍ଥାତ 2021 ଅକ୍ଷୟ ତୃତୀୟା ଦିନ ବିବାହ କରିଥିଲେ ଦେବାଶିଷ । ନିମାପଡା ବ୍ଲକ ବନ୍ତୁ ଗ୍ରାମର ସୁଶ୍ରୀ ସଙ୍ଗୀତାଙ୍କୁ ବିବାହ କରିଥିଲେ । ତାଙ୍କର 7ମାସରେ ଶିଶୁକନ୍ୟା ଦେବସ୍ମିତା ବିଶ୍ବାଳ ରହିଛନ୍ତି । ଦୁଇ ଦିନ ପରେ ବିବାହ ବାର୍ଷିକୀ ପାଳିଥାନ୍ତେ ଦେବାଶିଷ ହେଲେ ସବୁ କିଛି ଅଧାରେ ରହିଯାଇଛି ।

ଗତ ଜାନୁଆରୀରେ ଗାଁକୁ ଆସିଥିଲେ ଦେବାଶିଷ ହେଲେ କିଏ ଜାଣିଥିଲା ଯେ ସେ ଶେଷଥର ପାଇଁ ଘରକୁ ଆସିଥିଲେ । ପୁଅକୁ ହରାଇ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି । ବାପା ପ୍ରତାପ ବିଶ୍ବାଳ ଓ ମାଆ ମମତା ବିଶ୍ବାଳ ଯେମିତି ମୁକ ପାଲିଟି ଯାଇଛନ୍ତି । ସ୍ବାମୀଙ୍କୁ ହରାଇ ପତ୍ନୀ ସୁଶ୍ରୀ ଘଡିକି ଘଡି ଅଚେତ ହୋଇଯାଉଛନ୍ତି । ପୁରୀ ଗାଁରେ ଶୋକର ଛାୟା ଖେଳିଯାଇଛି । ରାଷ୍ଟ୍ରୀୟ ରାଇଫଲ ୟୁନିଟର ଯବାନ ଭାବେ କାର୍ଯ୍ୟରତ ଥିଲେ ଦେବାଶିଷ ବିଶ୍ବାଳ ।

ଶହୀଦ ଦେବାଶିଷଙ୍କ ପାଇଁ ଟ୍ବିଟ କରି ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, '' ଜମ୍ମୁ କାଶ୍ମୀର ପୁଞ୍ଚରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡିଶାର ବୀର ପୁତ୍ର ଦେବାଶିଷ ବିଶ୍ବାଳଙ୍କ ଶହୀଦ ଖବର ଅତ୍ୟନ୍ତ ଦୁଃଖଦାୟକ । ଦେଶର ସୁରକ୍ଷା ପାଇଁ ତାଙ୍କର ବଳିଦାନ ସବୁବେଳେ ସ୍ମରଣୀୟ ରହିବ । ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଏ ଦୁଃଖ ସମୟରେ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ।''

ଏହା ବି ପଢନ୍ତୁ...କାଶ୍ମୀର ପୁଞ୍ଚରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡରେ ଜଳିଗଲା ସେନା ଟ୍ରକ: 5 ଯବାନ ଶହୀଦ

ସୂଚନା ଅନୁସାରେ ଦକ୍ଷିଣ କାଶ୍ମୀର ପୁଞ୍ଚରେ ଗତକାଲି (ଗୁରୁବାର) ଅପରାହ୍ନରେ ପୁଞ୍ଚରୁ 60କିମି ଦୂର ଭଟା ଧୁରିଆଁ ନାମକ ସ୍ଥାନରେ ଏହି ଆକ୍ରମଣ ଘଟିଛି । ସେନା ଟ୍ରକଟି ଭୀମବେର ଗଳିରୁ ପୁଞ୍ଚର ସାଙ୍ଗିଓଟ ଅଭିମୁଖେ ଯାଉଥିବାବେଳେ ଯବାନଙ୍କ ଗାଡିକୁ ଆକ୍ରମଣ କରିଥିଲେ ଆତଙ୍କବାଦୀ । ପ୍ରଥମେ ଆତଙ୍କୀମାନେ ଗୁଳି ଚଳାଇଥିଲେ । ପାଖାପାଖି 50 ରାଉଣ୍ଡ ଗୁଳି ଚଳାଇଥିଲେ । ଏହାପରେ ସେନା ଗାଡିକୁ ଗ୍ରେନେଡ ମାଡ କରିଥିଲେ ଫଳରେ ଗାଡିଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ସମସ୍ତ ଶହୀଦ 5 ଯବାନ ରାଷ୍ଟ୍ରୀୟ ରାଇଫଲର ସଦସ୍ୟ । ସେମାନେ ଆତଙ୍କବାଦୀ ନିରୋଧ ଅଭିଯାନରେ ସାମିଲ ଥିଲେ । ଗାଡିରେ ଥିବା 5 ଜଣ ଯବାନ ଶହୀଦ ହୋଇଛନ୍ତି । ଶହୀଦ ଯବାନଙ୍କ ମଧ୍ୟରେ ଜଣେ ଓଡିଆ ଯବାନ ଦେବାଶିଷ ବିଶ୍ବାଳ ଯିଏ କି ଦେଶ ପାଇଁ ଜୀବନ ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Apr 21, 2023, 9:38 AM IST

ABOUT THE AUTHOR

...view details