ଓଡିଶା

odisha

ETV Bharat / state

ନୀଳମଣିଙ୍କ ନୀଳାଦ୍ରି ବିଜେ: ସରିଲା ଯାତ୍ରା, ଆର ବର୍ଷକୁ ପ୍ରତୀକ୍ଷା

ରତ୍ନବେଦୀକୁ ବାହୁଡିଛନ୍ତି ଶ୍ରୀଜୀଉ । ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବା ପରେ ମହାପ୍ରଭୁ ବଡ ଦେଉଳକୁ ପ୍ରବେଶ କରିଛନ୍ତି | ଏହି ଅନନ୍ୟ ବିଚିତ୍ର ଦାମ୍ପତ୍ୟଲୀଳାର ସାକ୍ଷୀ ରହିବା ନିମନ୍ତେ ସିଂହଦ୍ବାରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା ।

By

Published : Jul 15, 2019, 11:45 PM IST

Updated : Jul 16, 2019, 12:10 AM IST

ଡିଜାଇନ ଫଟୋ

ପୁରୀ: ଘୋଷଯାତ୍ରାର ଅନ୍ତିମ ପର୍ଯ୍ୟାୟ ନୀଳାଦ୍ରି ବିଜେ ନୀତି ସମ୍ପର୍ଣ୍ଣ ହୋଇଛି । ରତ୍ନ ବେଦୀକୁ ବାହୁଡିଛନ୍ତି ଶ୍ରୀଜୀଉ । ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବା ପରେ ମହାପ୍ରଭୁ ବଡ ଦେଉଳକୁ ପ୍ରବେଶ କରିଛନ୍ତି | ଏହି ଅନନ୍ୟ ବିଚିତ୍ର ଦାମ୍ପତ୍ୟଲୀଳାର ସାକ୍ଷୀ ରହିବା ନିମନ୍ତେ ସିଂହଦ୍ବାରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । ଗତକାଲି ନୀଳାଚଳ ଅବଢା ପାଇବା ପାଇଁ ଉତ୍କଣ୍ଠିତ ଚିତ୍ତରେ ଭକ୍ତ ରହିଛନ୍ତି ।

ଭିିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଶ୍ରୀଗୁଣ୍ଡିଚାର ଅନ୍ତିମ ପର୍ବରେ ଆଜି ଠାକୁରମାନଙ୍କର ଗୋଟି ପହଣ୍ଡି ହୋଇଥିଲା । ସନ୍ଧ୍ୟାଧୂପ ସରିବା ପରେ, ବିଜେ କାହାଳୀ ବାଜି ପହଣ୍ଡି ଆରମ୍ଭ ହୋଇଥିଲା। ରାଘବ ଦାସ ମଠ ପ୍ରଥମେ ରାମ-କୃଷ୍ଣ ଓ ମଦନମୋହନ ଶ୍ରୀମନ୍ଦିରକୁ ଯାଇଥାଆନ୍ତି। ତାଙ୍କ ପରେ ଶ୍ରୀସୁଦର୍ଶନଙ୍କର ପହଣ୍ଡି ହୋଇଥାଏ। ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହୁଏ ସବାଶେଷରେ ।

ସନ୍ଧ୍ୟାଧୂପ ନୀତି ପରେ ନୀଳାଦ୍ରି ବିଜେ କରିଛନ୍ତି ଶ୍ରୀଜିଉ । ନୀଳାଦ୍ରି ବିଜେ ପୂର୍ବରୁ ଚାରମାଳ ଉପରେ ଶ୍ରୀଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କ ଅନନ୍ୟ ଭେଟ ନୀତି ସଂପନ୍ନ ହୋଇଥିଲା । ପରମ୍ପରା ଅନୁଯାୟୀ, ଜୟବିଜୟ ଦ୍ୱାର ନିକଟରେ ବଚନିକା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିଛନ୍ତି। ଗଇଁଠାଳ ଫିଟା ନୀତି ମଧ୍ୟ ଅନୁଷ୍ଠିତ ହୋଇଛି। ଭିତରଛ ମହାପାତ୍ର ବନ୍ଦାପନା ନୀତି କରିବା ସହ ଛେନା ଦ୍ବାରା ପ୍ରସ୍ତୃତ ରସଗୋଲାକୁ ଭୋଗ କରିଛନ୍ତି।


ରଥାରୂଢ ଚତୁର୍ଦ୍ଧାମୂରତୀଙ୍କ ସନ୍ଧ୍ୟାଧୂପ ନୀତି ପରେ ଗୋଟି ପହଣ୍ଡିରେ ନୀଳାଦ୍ରି ବିଜେ କରାଯାଇଛି। ପ୍ରଥମେ କୃଷ୍ଣବଳରାମ, ମଦନ ମୋହନଙ୍କୁ ଦକ୍ଷିଣ ଘରକୁ ବିଜେ ପରେ ଶ୍ରୀସୁଦର୍ଶନ, ପରେ ବଡ଼ଠାକୂର ଶ୍ରୀ ବଳଭ୍ରଦ , ଭଉଣୀ ସୁଭ୍ରଦାଙ୍କୁ ରତ୍ନସିଂହାସନକୁ ବିଜେ କରାଯାଇଥିଲା। ଏହାପରେ ଶ୍ରୀଜଗନ୍ନାଥ ଙ୍କୁ ପହଣ୍ଡି କରାଯାଇ ରତ୍ନସିଂହାସନକୁ ନିଆଯାଇଛି।


ଆସନ୍ତା କାଲି ଚନ୍ଦ୍ରଗ୍ରହଣ ଥିବାରୁ ଦ୍ବିପହର ଧୂପ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ସମାପ୍ତ ହେବ। ପାକତ୍ୟାଗ ପୂର୍ବରୁ ପ୍ରାୟ ୪ଟା ଭିତରେ କରିବା ପାଇଁ ସବୁ ନୀତି ନିର୍ଘଣ୍ଟ କରାଯାଇଛି। ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ମହାପ୍ରଭୁଙ୍କ ଦର୍ଶନ ପାଇ ଭକ୍ତ ବେଶ ଆନନ୍ଦିତ ହୋଇଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jul 16, 2019, 12:10 AM IST

For All Latest Updates

ABOUT THE AUTHOR

...view details