ପୁରୀ: ଶ୍ରୀପୁରୁଷୋତ୍ତମ ଧାମ ସହ ସମ୍ବନ୍ଧ ଅନନ୍ୟ, ବିରଳ, ସ୍ବତନ୍ତ୍ର ଓ ଆଧ୍ୟାତ୍ମିକ ଭାବ ସହ ନିବିଡ ଭାବେ ଜଡିତ । ନେପାଳ ନରେଶଙ୍କ ବ୍ୟତୀତ ଅନ୍ୟ କାହାର ଅଧତ୍କାର ନାହିଁ ରତ୍ନତ୍ସିଂହାସନ ଉପରକୁ ଉଠି ସ୍ବହସ୍ତରେ ଶ୍ରୀବିଗ୍ରହମାନଙ୍କୁ ପୂଜାର୍ଚ୍ଚନା କରିବା । ଏପରିକି ଜଗନ୍ନାଥଙ୍କ ପ୍ରଥମ ସେବକ ପୁରୀ ମହାରାଜା ଗଜପତି ଦିବ୍ୟସିଂହ ଦେବଙ୍କୁ ମଧ୍ୟ ମିଳିନାହିଁ ଏହି ଅଦ୍ବିତୀୟ ଅଧିକାର । ପ୍ରଶ୍ନ ଉଠେ, ନେପାଳ ନରେଶଙ୍କୁ ପୁରୀ ଶ୍ରୀମନ୍ଦିରରେ ଏପରି ଅନନ୍ୟ ଅସାଧାରଣ ସମ୍ମାନ ଓ ସ୍ବାଧିକାର ଦେବା ଅନ୍ତରାଳରେ କି ରହସ୍ୟ ନିହିତ ରହିଛି ? ଏହା ପଛରେ ରହିଛି ଏକ ସୁନ୍ଦର ଇତିହାସ ।
ସୂଚନା ଯେ, ଯେତେବେଳେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରତ୍ନ ସିଂହାସନ ତିଆରି ହୋଇ ଥିଲା ଉକ୍ତ ରତ୍ନ ସିଂହାସନ ତଳେ ଏକ ଲକ୍ଷ ଜୀବନ୍ତ ଶାଳଗ୍ରାମ ପୋତା ଯାଇଥିଲା । ଯାହାକି ନେପାଳ ନରେଶ ଯୋଗାଇ ଥିଲେ । ଏଣୁ ନେପାଳ ରାଜାଙ୍କୁ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ନିମନ୍ତେ ଦିଆଯାଇଛି ଅଧିକ ପ୍ରାଧାନ୍ୟ । ନେପାଳ ନରେଶ ଆସିଲେ ଶ୍ରୀମନ୍ଦିରକୁ ଶୋଧନ ସହ ସମସ୍ତ ଲୋକଙ୍କୁ ବାହାର କରି ଦିଆଯାଏ। ନେପାଳ ନରେଶ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିଥାନ୍ତି ।
କେବଳ ସେତିକି ନୁହେଁ ବିରଳ କସ୍ତୁରୀ ମଧ୍ୟ ନେପାଳ ରାଜ ପରିବାର ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ଯୋଗାଇଥାନ୍ତି । ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ କସ୍ତୁରୀ ବେଶ ଗୁରୁତ୍ତ୍ବପୂର୍ଣ୍ଣ । ମହାପ୍ରଭୁଙ୍କ ନବ କଳେବର ସମୟରେ ଘଟ ସ୍ଥାନାନ୍ତର ବେଳେ ଏହି କସ୍ତୁରୀ ଲାଗି ହୋଇଥାଏ। ସେହିପରି ମହାପ୍ରଭୁଙ୍କ ମସ୍ତକରେ , ଶ୍ରୀମୁଖ ଶୃଙ୍ଗାର ବେଳେ ମଧ୍ୟ ଏହି କସ୍ତୁରୀ ଲାଗି ହୋଇ ଥାଏ । ଏଣୁ ନେପାଳ ରାଜ ପରିବାର ସହିତ ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ସେବା ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି।