ପୁରୀ: ବ୍ରହ୍ମଗିରିରେ ପ୍ରଭୁ ଅଲାରନାଥଙ୍କ ପୀଠ ବେଶ ପ୍ରସିଦ୍ଧ। ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ପ୍ରଭୁ ଅଲାରନାଥ ଙ୍କୁ ଦର୍ଶନ ପାଇଁ ଆସିଥାନ୍ତି। ବିଶେଷ କରି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମାତା ସୁଭଦ୍ରାଙ୍କ ଅଣସର ସମୟରେ ଭକ୍ତ ପ୍ରଭୁ ଅଲାରନାଥଙ୍କ ଦର୍ଶନ ପାଇଁ ଯାଇଥାନ୍ତି। ବିଶ୍ୱାସ ରହିଛି ଅଣବସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ରତ୍ନବେଦୀରେ ମହାପ୍ରଭୁଙ୍କ ଦର୍ଶନ ସମାନ ଫଳ ମିଳିଥାଏ। ତେବେ ପ୍ରଭୁ ଅଲାରନାଥ କିଭଳି ଆବିଭାର୍ବ ହେଲେ ତାହା ଅନେକ ଭକ୍ତଙ୍କୁ ଏବେ ମଧ୍ୟ ଅଜଣା । ତେବେ ଏ ନେଇ ରହିଛି ଏକ ସୁନ୍ଦର ଇତିହାସ ତଥା ଭକ୍ତ ଏବଂ ଭଗବାନ ଙ୍କ ମଧ୍ୟରେ ରେ ନିବିଡ ସମ୍ପର୍କ କଥା ।
ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକଙ୍କ କହିବା କଥା ପ୍ରାଚୀନ କାଳରେ ଅଲବର ସମ୍ପ୍ରଦାୟର ଜଣେ ସାଧୁ ଆଲବନ୍ଦାଚାର୍ଯ୍ୟ ଶ୍ରୀକ୍ଷେତ୍ର ଆସିଥିଲେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ । କିନ୍ତୁ ମହାପ୍ରଭୁ ସେତେବେଳେ ଅନବସରରେ ରହିଥିଲେ। ଏତେ ଦୂରରୁ ଆସି ମହାପ୍ରଭୁଙ୍କ ଦର୍ଶନ ନପାଇ ଆଲବନ୍ଦାଚାର୍ଯ୍ୟ ମ୍ରିୟମାଣ ହୋଇ ସମୁଦ୍ର କୂଳରେ ଚାଲି ଚାଲି ଶେଷରେ ସମୁଦ୍ରରେ ଜୀବନ ହାରିବାକୁ ଯାଇଥିଲେ। ଭକ୍ତର କଷ୍ଟକୁ ସହି ନପାରି ସ୍ୱୟଂ ମହାପ୍ରଭୁ ତାଙ୍କ ଆଗରେ ପ୍ରକଟ ହୋଇ ଦର୍ଶନ ଦେଇଥିଲେ। ତେବେ ଅନ୍ୟ ଭକ୍ତ ମାନେ ଯେଭଳି ତାଙ୍କ ଭଳି ଅନବସର ସମୟରେ ଦର୍ଶନ ପାଆନ୍ତୁ ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ। ଯେଉଁ ଜାଗାରେ ମହାପ୍ରଭୁ ତାଙ୍କୁ ଦର୍ଶନ ଦେଇଛନ୍ତି ସେହି ଜାଗାରେ ପ୍ରଭୁ ଅଧିଷ୍ଠିତ ହୋଇ ସମସ୍ତଙ୍କୁ ଦର୍ଶନ ଦିଅନ୍ତୁ ବୋଲି କହିଥିଲେ। ଭକ୍ତର ମନୋକାମନା ପୂର୍ଣ୍ଣ କରି ମହାପ୍ରଭୁ ସେହି ସ୍ଥାନରେ ବିରାଜମାନ କରିଥିଲେ। ତେବେ ଭକ୍ତ ଆଲବନ୍ଦାଚାର୍ଯ୍ୟଙ୍କ ନାମାନୁସାରେ ପ୍ରଭୁ ଅଲାରନାଥ ନାମରେ ସେଠି ପୂଜିତ ହେଉଛନ୍ତି ।