ଓଡିଶା

odisha

By

Published : Jul 22, 2023, 7:30 PM IST

ETV Bharat / state

ବଳିଆପଣ୍ଡାରୁ ହଟିବ ଅଳିଆ ଗଦା, ପୁରୀ ପୌରପାଳିକାକୁ NGTର ତାଗିଦ

ଅଳିଆ ଗଦା ପାହାଡ ହଟାଇବାରେ ଅବହେଳାକୁ ନେଇ ପୁରୀ ପୌରପାଳିକାକୁ ଏନଜିଟିର ତାଗିଦ । ବଳିଆପଣ୍ଡାରୁ ଅଳିଆ ଗଦା ହଟାଇବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Etv Bharat
Etv Bharat

ବଳିଆପଣ୍ଡାରୁ ହଟିବ ଅଳିଆ ଗଦା

ପୁରୀ:ଦୁଇ ବର୍ଷ ଭିତରେ ବଳିଆପଣ୍ଡାରୁ ହଟିବ ଅଳିଆ ଗଦା ପାହାଡ଼ । ପୁରୀ ପୌରପାଳିକା ଅଧିନ ବଳିଆପଣ୍ଡା ବାସିନ୍ଦାଙ୍କ ପାଇଁ ଖୁସି ଖବର ଆଣି ଦେଇଛି ନ୍ୟାସନାଲ ଗ୍ରୀନ୍ ଟ୍ରୀବ୍ୟୁନାଲଙ୍କ ରାୟ । ପ୍ରଦୂଷଣ ମାତ୍ରା ବଢାଉଥିବା ପାହାଡ଼ ଉଚ୍ଚର ଅଳିଆ ଗଦାରୁ ସବୁଦିନ ପାଇଁ ଏହାକୁ ହଟାଇବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି । ଏହି ରାୟ ଆସିବା ପରେ ଏହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ପୌର ପାଳିକା ବାସୀ ।

ବର୍ଷ ବର୍ଷ ଧରି ଦୁର୍ଗନ୍ଧ ଓ ଅସ୍ବାସ୍ଥ୍ୟକର ପରିବେଶରେ ଯନ୍ତ୍ରଣାରେ ଛଟପଟ ହେଉଥିବା ବଳିଆପଣ୍ଡା ବାସୀ ଏହି ସମସ୍ୟାରୁ ନିସ୍ତାର ପାଇବେ ବୋଲି ଆଶା ରଖିଛନ୍ତି । ଦୀର୍ଘ ୩୫ ବର୍ଷ ହେବ ପାହାଡ଼ ଭଳି ଗଦା ହୋଇ ରହିଛି ଅଳିଆ । ଦୁର୍ଗନ୍ଧ ମୟ ପରିବେଶରେ ଛଟପଟ ହେଉଛନ୍ତି ପୁରୀ ବଳିଆପଣ୍ଡା ବାସିନ୍ଦା । ତେବେ ପାହାଡ଼ ଭଳି ଗଦା ହୋଇଥିବା ଏହି ଅଳିଆକୁ ଦୁଇବର୍ଷ ଭିତରେ ହଟାଇବାକୁ ପୁରୀ ପୌରସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ନ୍ୟାସନାଲ ଗ୍ରୀନ୍ ଟ୍ରୀବ୍ୟୁନାଲ । ପୁରୀର ଆଇନଜୀବୀ ଚିନ୍ମୟ ଦାସଙ୍କ ଆବେଦନର ଶୁଣାଣି କରି ଏନଜିଟି ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢନ୍ତୁ- ଦେଓମାଳିରେ କଟେଜ ନିର୍ମାଣକୁ ନେଇ ରାଜ୍ୟ ସରାକରଙ୍କୁ ନୋଟିସ ଜାରି କଲା NGT

୨୦୨୫ ଡିସେମ୍ବର ୩୧ ସୁଦ୍ଧା ବଳିଆପଣ୍ଡାଠାରେ ପାହାଡ ଭଳି ଗଦା ହୋଇଥିବା ସମସ୍ତ ଅଳିଆ ହଟାଇବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ ମଧୁର ଜଳ ଅଞ୍ଚଳର ସୁରକ୍ଷା, ବଳିଆପଣ୍ଡା ବେଆଇନ କଲୋନୀ ସ୍ଥାନାନ୍ତର, ପ୍ରଦୂଷିତ ଧୂଆଁ ଓ ଦୁର୍ଗନ୍ଧକୁ ରୋକିବା ଦିଗରେ ଏନଜିଟି ଏହି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବିଳମ୍ବରେ ହେଉ ପଛେ ଏନଜିଟିର ଏଭଳି ନିର୍ଦ୍ଦେଶକୁ ସ୍ବାଗତ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଦୀର୍ଘ ୩୫ ବର୍ଷ ହେବ ପୁରୀ ଗୌଡ଼ବାଡ ସାହି ପଛପଟେ ଏକ ଡମ୍ପିଂୟାର୍ଡ କରିଥିଲା ପୌରସଂସ୍ଥା । ଦୀର୍ଘ ବର୍ଷ ହେବ ଏହି ଅଳିଆକୁ ରିସାଇକ୍ଲିଂ ଅବା ଉପଯୁକ୍ତ ଉପାୟରେ ନଷ୍ଟ ନ କରାଯିବା ଯୋଗୁଁ ବର୍ଜ୍ୟବସ୍ତୁଗୁଡିକ ଜମି ପାହାଡ଼ ଭଳି ହୋଇଯାଇଛି।

ମଝିରେ ମଝିରେ ଅଳିଆ ଗଦାରେ ନିଆଁ ଲାଗିଯିବାରୁ ଧୂଆଁମୟ ହୋଇ ସ୍ଵର୍ଗଦ୍ଵାର, ଗୌଡ଼ବାଡ ସାହି ଓ ବଳିଆପଣ୍ଡା ଆଦି ଅଞ୍ଚଳର ଲୋକମାନେ କଲବଲ ହେଉଛନ୍ତି । ବିଭିନ୍ନ ରୋଗରେ ମଧ୍ୟ ଏଠାକାର ବାସିନ୍ଦାମାନେ ଆକ୍ରାନ୍ତ ହେଉଛନ୍ତି । ତେବେ ସ୍ବଚ୍ଛ ପୁରୀ ସହରର ନାରା ଦେଉଥିବା ପୌରସଂସ୍ଥା ଏହି ଅଳିଆଗଦା ହଟାଇବାକୁ ଅବହେଳା କରି ଆସୁଥିଲା । ଏବେ ଅଭିଯୋଗ ଜାତୀୟ ଗ୍ରୀନ ଟ୍ରୀବ୍ୟୁନାଲ ପାଖରେ ପହଞ୍ଚିବା ପରେ ଏହାର ଶୁଣାଣି କରି ଆସନ୍ତା ୨ ବର୍ଷ ମଧ୍ୟରେ ଅର୍ଥାତ ୨୦୨୫ ଡିସେମ୍ବର ୩୧ ସୁଦ୍ଧା ସମସ୍ତ ଅଳିଆକୁ ହଟାଇବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ଏନଜିଟିର ନିର୍ଦ୍ଦେଶକୁ ଅନୁପାଳନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପୁରୀ ଜିଲ୍ଲାପାଳ । ବଳିଆପଣ୍ଡା ମଧୁରଜଳ ଅଞ୍ଚଳର ଭୂତଳ ଜଳର ସୁରକ୍ଷା ନେଇ ଜରୁରୀ ପଦକ୍ଷେପ ନେବାକୁ ଏନଜିଟି ଭୁବନେଶ୍ବର ସ୍ଥିତ କେନ୍ଦ୍ର ଭୂତଳ ଜଳ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଭୂତଳ ଜଳ ଯେପରି ଅଳିଆଗଦା କାରଣରୁ ସଂକ୍ରମିତ ନହୁଏ ଏବଂ ଭୂତଳ ଜଳ ଉତ୍ତୋଳନ ନହେବ ସେ ଦିଗରେ ପଦକ୍ଷେପ ନେବା ପାଇଁ ଏନଜିଟି ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details