ପୁରୀ:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପରମ୍ପରା । ପୁରୀ ସେବାୟତ ସମ୍ପ୍ରଦାୟର ନେତପିଲା ହେଉଛି ଏକ ବିଶେଷ ପର୍ବ। ଶହ ଶହ ବର୍ଷର ପୁରୁଣା ଏହି ପର୍ବ। 'ନେତପିଲା' ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରର ପ୍ରତିଟି ସେବାୟତ ପରିବାରରେ ଏହା ପାଳନ ହୋଇ ଆସୁଛି । ଶାରଦୀୟ ଦୁର୍ଗା ପୂଜା ଅବସରରେ ସେବାୟତ କୂଳର କୁମାରୀ କନ୍ୟାମାନେ ପାରମ୍ପରିକ ବେଶ ଓ ଅଳଙ୍କାରରେ ଭୂଷିତ ହୋଇ ପୂଜାର୍ଚ୍ଚନା କରିଥାନ୍ତି । ପୁରୀର ସେବାୟତ କୂଳର 3 ବର୍ଷରୁ 9 ବର୍ଷ ନାବାଳିକା କରିଥାନ୍ତି ଏହି ପୂଜା । କିମ୍ବଦନ୍ତୀ ଅନୁଯାୟୀ, ମା' ପାର୍ବତୀ ଶିବଙ୍କୁ ପତି ରୂପେ ପାଇବା ଉଦ୍ଦେଶ୍ୟରେ ଏହି ପୂଜା କରିଥିଲେ । ସେଥିପାଇଁ ଶିବଙ୍କ ଭଳି ବର ପ୍ରାପ୍ତି ଉଦ୍ଦେଶ୍ୟରେ ସେବାୟତ କୂଳର କନ୍ୟାମାନେ ହରପାର୍ବତୀଙ୍କୁ ଏହି ପୂଜା କରିଥାନ୍ତି ।
ଆଶ୍ବିନ ମାସର ପଞ୍ଚମୀ, ଷଷ୍ଠୀ ଓ ସପ୍ତମୀ ତିଥିରେ ଏହି ପର୍ବକୁ ପାଳନ କରାଯାଏ । ହରପାର୍ବତୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ନେତପିଲାମାନେ ୨୧ଦିନ ଧରି ବଳି ପୂଜା କରିଥାନ୍ତି । ଏହି ପୂଜାର ଶେଷ ୪ଦିନ ପାରମ୍ପରିକ ବେଶ ସହ ବିଭିନ୍ନ ଅଳଙ୍କାରରେ ନିଜକୁ ସଜାଇଥାନ୍ତି ଏହି ନେତପିଲାମାନେ । ଏହାପରେ ମାର୍କଣ୍ତ ପୁଷ୍କରଣୀ ଠାରେ ଏହି ପୂଜାର୍ଚ୍ଚନା କରାଯାଇଥାଏ । ପୁଷ୍କରିଣୀ କୁଳରେ ବସି ବଡ଼ ନିଷ୍ଠାର ସହିତ ପୂଜାର୍ଚ୍ଚନା କରିଥାନ୍ତି ଏହି ନେତପିଲା । ବଳିଦାନ ଗୀତ ଗାନ କରିବା ସହ ଭିନ୍ନ ପ୍ରକାର ଫଳ, ପାଣିକଖାରୁ, ଜହ୍ନି, ପରିବା ଓ ଗୁଆ ଆଦି ଅର୍ପଣ କରି ପୂଜା କରଥାନ୍ତି । କନ୍ୟାମାନେ ସେହିଭଳି ପାରମ୍ପରିକ ବେଶଭୂଷା ସହ ସେମାନଙ୍କ ସମ୍ପର୍କୀୟ ଓ ବନ୍ଧୁ ବାନ୍ଧବଙ୍କ ଘରକୁ ବୁଲି ଯିବାର ମଧ୍ୟ ବିଧି ରହିଛି ।