ପୁରୀ:ଜମିବାଡି ବିବାଦରୁ ଦାଦା ହତ୍ୟା କରି ପୁତୁରା ଗିରଫ । ଗତ ଶନିବାର ଦିନ ପୁରୀ ସଦରଥାନା କଣ୍ଠପୁରରେ ବୀର ବରାଳ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଏହି ହତ୍ୟାକାଣ୍ଡ ସମ୍ପୃକ୍ତ ଥିବା ପୁତୁରା ପପୁ ଓରଫ ଭୀମସେନ ବରାଳ (୨୪)କୁ ଗିରଫ କରିଛି ପୁରୀ ସଦର ଥାନା ପୋଲିସ । ଜମିବାଡ଼ି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ହେଇଥିବା ପୋଲିସ ସ୍ପଷ୍ଟ କରିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଅତିରିକ୍ତ ଏସ୍ପି ସୁଶୀଲ ମିଶ୍ର ସୂଚନା ଦେଇଛନ୍ତି । ପୂର୍ବରୁ ଅଭିଯୁକ୍ତର ନାମରେ ପୁରୀ କୁମ୍ଭାରପଡା ଥାନାରେ ୨ଟି ଓ ସଦର ଥାନାରେ ୨ଟି ମୋଟ ୪ଟି ମାମଲା ଥିବା ଜଣାପଡିଛି ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ 6 ତାରିଖ ବିଳମ୍ବିତ ରାତିରେ ପୁରୀ ସଦର ଥାନା କଣ୍ଠପୁର ନିକଟ ଗୋପାଳପୁରରେ ଏକ ଅଭାବନୀୟ ଘଟଣା ଘଟିଥିଲା । ଜମିବାଡି ବିବାଦକୁ କେନ୍ଦ୍ରକରି ଦାଦା ବୀର ବରାଳକୁ ପୁତୁରା ପପୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲା । ହତ୍ୟାର କିଛିଦିନ ପୂର୍ବରୁ ମୃତକ ଓ ତାଙ୍କ ପରିବାରକୁ ହତ୍ୟା ଧମକ ଦେଇଆସୁଥିଲା ଅଭିଯୁକ୍ତ । ଗତ ୬ ତାରିଖ ଦିନ ରାତିରେ ଦାଦା ବୀର ବରାଳ ନିଜ ଦୋକାନ ସମ୍ମୁଖରେ ଛିଡା ହୋଇଥିବା ବେଳେ ସେହି ରାସ୍ତା ଦେଇ ଅଭିଯୁକ୍ତ ଭୀମସେନ ବରାଳ ଯାଉଥିଲା । ହଠାତ୍ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି କଥା କଟାକଟି ଓ କମେଣ୍ଟ ମରାମରି ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ପୁତୁରା ଉତକ୍ଷିପ୍ତ ହୋଇ ଦାଦାକୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲା । ଅଭିଯୁକ୍ତ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ପୋଲିସ ନିକଟରେ ସ୍ୱୀକାର କରିଛି ।