ପୁରୀ:ପୁରୀ ବେଳାଭୁମିରେ ଉଦଘାଟିତ ହୋଇଛି ଜାତୀୟ ହସ୍ତ ଶିଳ୍ପ ପ୍ରଦର୍ଶନୀ ଗାନ୍ଧୀ ଶିଳ୍ପ ବଜାର। ପୁରୀର ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ଆନୁକୁଲ୍ୟରେ କେନ୍ଦ୍ର ହସ୍ତ ଶିଳ୍ପ ଆୟୁକ୍ତ ଓ ଭାରତ ସରକାରଙ୍କ ବସ୍ତ୍ର ମନ୍ତ୍ରଣାଳୟର ମିଳିତ ସହଯୋଗରେ ଆୟୋଜନ କରଯାଇଛି ଜାତୀୟ ହସ୍ତ ଶିଳ୍ପ ପ୍ରଦର୍ଶନୀ ଗାନ୍ଧୀ ଶିଳ୍ପ ବଜାର। ରାଜ୍ୟ ହସ୍ତ ଶିଳ୍ପ ତଥା ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯକ୍ରମକୁ ଉଦଘାଟନ କରିଥିଲେ। ୧୦ଦିନ ବ୍ୟାପି ପୁରୀ ବେଳାଭୁମିରେ ଏହି ଜାତିୟ ହସ୍ତ ଶିଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଏହି ଅବସରରେ ମନ୍ତ୍ରୀ ରିତା ସାହୁ କହିଥିଲେ ହସ୍ତ ଶିଳ୍ପ ଓ ହସ୍ତ କଳାର ବିକାଶ ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରତିଶ୍ରୁତି ବଦ୍ଧ।
ଓଡ଼ିଶାର ହସ୍ତ ଶିଳ୍ପ ତଥା କୁଟୀର ଶିଳ୍ପୀ ମାନଙ୍କର ଆର୍ଥିକ ବିକାଶ କ୍ଷେତ୍ରରେ ନବୀନ ପଟ୍ଟନାୟକଙ୍କ ସରକାର ଅହରହ ଚେଷ୍ଟା ଜାରି ରଖିଛନ୍ତି। ଗାନ୍ଧୀ ଶିଳ୍ପ ବଜାର ଉଦଘାଟନ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭବେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ମୁଖ୍ୟ ବକ୍ତା ଭାବେ ବିଜୁ ଯୁବ ଜନତା ଦଳର ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଗାନ୍ଧୀ ଶିଳ୍ପ ବଜାର କମିଟିର ସମ୍ପାଦକ ରାଜେଶ କୁମାର ମହାନ୍ତିଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା ।