ପୁରୀ: ଅସ୍ତରଙ୍ଗ ଆଳସାହି ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତର ଗିରଫ ଦାବି କରି ଆଳସାହି ଛକରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅଭିଯୁକ୍ତର ତୁରନ୍ତ ଗିରଫ ଦାବି ନେଇ ଏହି ରାସ୍ତାରୋକ ହୋଇଛି। ତେବେ ପୋଲିସର ବୁଝାସୁଝା ପରେ ଆନ୍ଦୋଳନରୁ ଓହରିଛନ୍ତି ଲୋକେ। ଏହି ଘଟଣାରେ ଜଣଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି। ଅଭିଯୁକ୍ତକୁ ପୋଲିସ ଚିହ୍ନଟ କରିସାରିଛି। ଖୁବ ଶୀଘ୍ର ତାକୁ ଗିରଫ କରାଯିବ ବୋଲି ପୁରୀ ଏସପି କହିଛନ୍ତି।
ଘଟଣା ଅନୁସାରେ ଗତକାଲି ରାତି ପ୍ରାୟ 11 ଟା ବେଳେ ସାଧୁ ସ୍ଵାଇଁ କୌଣସି କାର୍ଯ୍ୟ ନିମନ୍ତେ ବଜାରକୁ ଆସିଥିବା ବେଳେ ଅଭିଯୁକ୍ତଙ୍କ ସହିତ ବଚସା ହୋଇଥିଲା । ଖବର ପାଇ ସାଧୁ ସ୍ଵାଇଁଙ୍କ ପୁଅ ଦିଲ୍ଲୀପ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ସାଧୁଙ୍କ ପୁଅ ଓ ଅଭିଯୁକ୍ତ ମଧ୍ୟ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଏକ ଛୁରୀରେ ଦିଲ୍ଲୀପଙ୍କୁ ଆକ୍ରମଣ କରିଥିଲେ । ପୁଅକୁ ରକ୍ଷା କରିବାକୁ ଯାଇ ସାଧୁ ସ୍ବାଇଁ ମଧ୍ୟ ଆହତ ହୋଇଛନ୍ତି । ଦିଲ୍ଲୀପ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ବେଳେ ବାପା ସାଧୁ ସ୍ଵାଇଁ ଗୁରୁତ୍ବର ଅବସ୍ଥାରେ ଚିକିତ୍ସିତ ଅଛନ୍ତି । ଅନ୍ୟପଟେ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଅସ୍ତରଙ୍ଗ ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଥିବାରୁ ଏପରି ହତ୍ୟାକାଣ୍ଡ ମାନ ଘଟୁଛି ବୋଲି ଅଭିଯୋଗ କରିଛନ୍ତି । ଏହାସହ ଏହି ଘଟଣାରେ ପରୋକ୍ଷରେ ପୋଲିସକୁ ଦାୟୀ କରିଛନ୍ତି ଜନ ସାଧାରଣ ।