ପୁରୀ: ଜିଲ୍ଲା ସାକ୍ଷୀଗୋପାଳର ମଦନ ମୋହନ ମନ୍ଦିରରୁ ଚୋରି । ଗତକାଲି(ଶନିବାର) ବିଳମ୍ବିତ ରାତିରେ ଏହି ଚୋରି ହୋଇଛି । ମନ୍ଦିରର ତାଲା ଭାଙ୍ଗି ଦାନବାକ୍ସରେ ଥିବା ସୁନା ଅଳଙ୍କାର, ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ମନ୍ଦିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମନ୍ଦିର ପରିସରରେ ଲାଗିଥିବା ସିସିଟିଭି ଯାଞ୍ଚ କରାଯାଇଛି । କିଛି ବ୍ୟକ୍ତି ମନ୍ଦିର ଭିତରେ ପଶି ଚୋରି କରିଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ତେବେ କିଏ ସେ ଦୁର୍ବୃତ୍ତ ଏବଂ କେଉଁଠାରୁ ଆସିଥିଲେ ସେନେଇ କିଛି ଜଣାପଡ଼ିନଥିବା ବେଳେ ତଦନ୍ତ ଜାରି ରହିଛି । ଖୁବଶୀଘ୍ର ଦୁର୍ବୃତ୍ତ ଧରାପଡିବେ ବୋଲି ପୁରୀ ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପତି କହିଛନ୍ତି ।
ସାକ୍ଷୀଗୋପାଳ ମନ୍ଦିର ଚାରିପାଖରେ ସିସିଟିଭି ଲାଗିଥିବା ବେଳେ ସୁରକ୍ଷାକର୍ମୀ ବି ନିୟୋଜିତ ଅଛନ୍ତି । ରାତିରେ ପୋଲିସ୍ ପକ୍ଷରୁ ପାଟ୍ରୋଲିଂ କରାଯାଉଛି । ଏତେ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କିଭଳି ଦୁର୍ବୃତ୍ତମାନେ ମନ୍ଦିରରେ ପଶି ଚୋରି କଲେ ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି । ତେବେ ଏହି ଲୁଟ ଘଟଣାରେ ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତିଙ୍କ ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଏଣୁ ଗତକାଲି ରାତିରେ ସେହି ଅଞ୍ଚଳରେ କେଉଁମାନେ ବୁଲାବୁଲି କରୁଥିଲେ ସେନେଇ ପୋଲିସ ତଦନ୍ତ କରୁଛି । ସାଇଣ୍ଟିଫିକ ଟିମ୍ ଆସି ଫିଙ୍ଗର ପ୍ରିଣ୍ଟ, ପାଦ ଚିହ୍ନ ଏବଂ ଅନ୍ୟ କିଛି ପ୍ରମାଣ ଏକାଠି କରିଥିବା ବେଳେ ଏହି ସୁରାକ ବଳରେ ପୋଲିସ ଅପରାଧିଙ୍କ ପାଖରେ ପହଞ୍ଚି ପାରିବ କି ନାହିଁ ସେନେଇ ସାଧାରଣରେ ଉତ୍କଣ୍ଠା ପ୍ରକାଶ ପାଇଛି ।