ବ୍ରହ୍ମଗିରି: ସଭିଏଁ ପଢିବେ ସଭିଏଁ ବଢିବେ ନାରା ଦେଇ ସରକାର ଆଗେଇ ନେଇଛନ୍ତି ସର୍ବଶିକ୍ଷା ଅଭିଯାନ । କିନ୍ତୁ ଏହି ଅଭିଯାନ ଯେ ପ୍ରକୃତରେ କେତେ ଅବହେଳିତ ତାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବ୍ରହ୍ମଗିରି ବ୍ଲକରେ। ବ୍ଲକ ଅଧିନସ୍ଥ କାଣ୍ଡଗୋଦା ବିଦ୍ୟାଳୟ ଓ ମୁଣ୍ଡଳ ଜାଡିପୁର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ବ୍ୟବହାର ହେଉଛି ପୋଖରୀ ପାଣି। ଆଶ୍ଚର୍ଯ୍ୟର କଥା କି ଏହା କେବଳ ଏହି ଦୁଇ ସ୍କୁଲ ନୁହେଁ ବରଂ ବ୍ଲକର ପ୍ରାୟତଃ ବିଦ୍ୟାଳୟରେ ଏହିପରି ଅବହେଳା ଦେଖିବାକୁ ମିଳୁଛି ।
ସମ୍ପୃକ୍ତ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ପିଲାଏ ପାଠ ପଢନ୍ତି। ଏମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପାଇଁ ସ୍କୁଲ ପାଖରେ ଥିବା ପୋଖରୀ ପାଣିକୁ ପ୍ରତିଦିନ ବ୍ୟବହାର କରାଯାଉଥିବା ପ୍ରକାଶ କରିଛନ୍ତି ସ୍କୁଲର ପାଚିକା । ଏହି ପୋଖରୀରେ ପ୍ରତିଦିନ ଗ୍ରାମର ଲୋକମାନେ ଓ ଗାଈଗୋରୁ ଗାଧୋଇବା ସହ ପାଣି ଅତ୍ୟନ୍ତ ଦୂଷିତ ଅବସ୍ଥାରେ ରହିଛି । ତଥାପି ଏହି ପୋଖରୀର ପାଣିକୁ ପିଲାଙ୍କ ମଧ୍ୟାହ୍ନ ଭୋଜନ ରାନ୍ଧିବାରେ ବ୍ୟବହାର କରାଯିବା ଅତି କ୍ଷୋଭର ବିଷୟ ।