ପୁରୀ:ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ନେଇ ବସିଲା ସମୀକ୍ଷା ବୈଠକ । ଏହି ଐତିହାସିକ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏକ ସମୀକ୍ଷା ବୈଠକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀନହରରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ପରିଚାଳନା କମିଟି ସଦସ୍ୟମାନେ ବୈଠକରେ ଯୋଗ ଦେଇଥିଲେ । ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମକୁ ପରିଚାଳନାର ଦାୟିତ୍ଵ ଦିଆଯାଇଥିବା ଇଭେଣ୍ଟ ସଂସ୍ଥାର ଅଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ବହୁ ପ୍ରତିକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଉଦଘାଟନ ହେବ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଖେଇ ଆସୁଥିବାବେଳେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ତେବେ ଲୋକାର୍ପଣ ଉତ୍ସବ ଦିନ ଶ୍ରୀକ୍ଷେତ୍ର ସମେତ ଓଡ଼ିଶାର ପୁରପଲ୍ଲୀରେ ବେଦପାଠ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଯାଉଛି। ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, "୧୭ରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଥିବାବେଳେ ୧୨ ତାରିଖରୁ ହୋମଯଜ୍ଞ ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ସେହିପରି ୧୩, ୧୪ ଓ ୧୫ ତାରିଖରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯିବ। ସେହିପରି ୧୫, ୧୬ ଓ ୧୭ ରେ ମହାଯଜ୍ଞ ଅନୁଷ୍ଠିତ ହେବା ସହ ୧୭ ତାରିଖରେ ଯଜ୍ଞର ପୂର୍ଣ୍ଣାହୂତି ହେବ। ତେବେ ଏହି ସବୁ କାର୍ଯ୍ୟକ୍ରମ ଗୁଡ଼ିକ କିଭଳି ନିର୍ଦ୍ଧାରିତ ସମୟ ଅନୁଯାୟୀ ଅନୁଷ୍ଠିତ ହୋଇପାରିବ, ଲୋକାର୍ପଣ ଉତ୍ସବକୁ ଆସିବାକୁ ଥିବା ଅତିଥିଙ୍କୁ କିଭଳି ସ୍ବାଗତ କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା। ମହାପ୍ରଭୁଙ୍କର ଏହି ଐତିହାସିକ କାର୍ଯ୍ୟକ୍ରମକୁ ଏକ ଭବ୍ୟ କାର୍ଯ୍ୟକ୍ରମ ଆକାରରେ ଆୟୋଜନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି ।"