ପୁରୀ: ଶ୍ରୀକ୍ଷେତ୍ରର ହେବ ନବକଳେବର । ବଦଳିବ ଶ୍ରୀମନ୍ଦିରର ଚାରିପାଖ । ମେଘନାଦ ପାଚେରୀଠାରୁ 75 ମିଟର ଭିତରେ ଥିବା ସମସ୍ତ ନିର୍ମାଣକୁ ଭାଙ୍ଗି ଦିଆଯିବ । ପୁରୀକୁ ବିଶ୍ବ ଐତିହ୍ୟ ସହରର ମାନ୍ୟତା ଦେବା ନେଇ ଏଭଳି ପରିକଳ୍ପନା କରିଛନ୍ତି ସରକାର । ନିଷ୍ପତ୍ତିକୁ ରାଜ୍ୟ କ୍ୟାବିନେଟରୁ ଅନୁମୋଦନ ମିଳିବା ପରେ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା। କିନ୍ତୁ ସେପଟେ ଏହି ନିଷ୍ପତ୍ତିକୁ ବିରୋଧ କରୁଥିବାର ଦେଖିବାକୁ ମିଳିଛି ।
ଶ୍ରୀମନ୍ଦିର ପୋଲିସ ଫାଣ୍ଡି ଭଙ୍ଗା ଯିବା ପୂର୍ବରୁ ଗତ ଶନିବାର ରାତିରେ ପୋଲିସ ପ୍ରଶାସନ ଏହାର ସମସ୍ତ କାଗଜ ପତ୍ର ସେଠାରୁ ସ୍ଥାନାନ୍ତର ନେଇ ଉଦ୍ୟମ ଆରମ୍ଭ କରିଛି । ବର୍ତ୍ତମାନ ଫାଣ୍ଡି ବଡଦାଣ୍ଡରେ ଏକ କଣ୍ଟେନର ମଧ୍ୟରେ ଚାଲିବ । ଆସନ୍ତାକାଲି ଅନ୍ୟ ଏକ କୋଠାଘର ଭଙ୍ଗା ଯିବ ବୋଲି ପୁରୀ ଜିଲ୍ଲାପାଳ ପୂର୍ବରୁ ସୂଚନା ଦେଇଥିଲେ ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ ଶ୍ରୀମନ୍ଦିର ତଥା ଭକ୍ତମାନଙ୍କ ସୁରକ୍ଷାକୁ ନଜରରେ ରଖି ଜଷ୍ଟିସ୍ ବିପି ଦାସ କମିଶନଙ୍କ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟର ସୁପାରିସକ୍ରମେ ରାଜ୍ୟ କ୍ୟାବିନେଟ ଗ୍ରୀନ ସିଗନାଲ ଦେଇଥିବାବେଳେ ଏହାକୁ ବିରୋଧ କରିଛି ମଠ ମନ୍ଦିର ସୁରକ୍ଷା ପରିଷଦ । ମଠଗୁଡିକ ଶ୍ରୀମନ୍ଦିର ପରମ୍ପରା, ସେବା, ପୂଜା ସହିତ ହଜାର ହଜାର ବର୍ଷ ଧରି ଜଡିତ । ଆଉ ଏଗୁଡିକ ଶ୍ରୀକ୍ଷେତ୍ରର ଐତିହ୍ୟ । ସରକାର ଏହି ଐତିହ୍ୟକୁ ଭାଙ୍ଗି କି ପ୍ରକାର ଐତିହ୍ୟ ସହର ଯୋଜନା କରୁଛନ୍ତି ବୋଲି ମଠ ମନ୍ଦିର ସୁରକ୍ଷା ପ୍ରଶ୍ନ ଉଠାଇଛି । ଖୁବ ଶୀଘ୍ର ସରକାର ଏହି ନିଷ୍ପତ୍ତିରୁ ଓହରିବାକୁ ମଧ୍ୟ ଚେତାବନୀ ଦେଇଛି ପରିଷଦ ।
ସୂଚନାଯୋଗ୍ୟ, କ୍ୟାବିନେଟ ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ଲାଗି 75 ମିଟର ପରିସରରେ ଆସୁଥିବା ଲଙ୍ଗୁଳି ମଠ ଦୋଳବେଦୀ କୋଣ, ବଡଆଖଡା ମଠ, ସାନଛତା ମଠ, ଉତ୍ତରପାର୍ଶ୍ବ ମଠ, ତ୍ରିମାଳୀ ମଠ, ରାସବିହାରୀ ମଠ, ମଣିପୁର ଆଶ୍ରମ, ରାଧବଦାସ ମଠ, ପଞ୍ଜାବୀ ମଠ, ଦକ୍ଷିଣପାର୍ଶ୍ବ ମଠ, କପାଳଲୋଚନ ମଠ, ଏମାର ମଠ, ମଙ୍ଗୁ ମଠ, ବଳରାମକୋଟ ମଠ ସହିତ ବୁଢୀମା ଠାକୁରାଣୀ, କାକୁଡିଖାଏ, ନୃସିଂହ ମନ୍ଦିର ଭାଙ୍ଗିବ । ଏହା ବ୍ୟତୀତ ଅନେକ ଦୋକାନ ଘର ମଧ୍ୟ ଭାଙ୍ଗିବ ବୋଲି ଜଣାପଡ଼ିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ