ପୁରୀ:ରାତି ପାହିଲେ ଚଳଚଞ୍ଚଳ ହୋଇ ଉଠେ ଶ୍ରୀକ୍ଷେତ୍ର । ପୁରୀ ଧାମକୁ ଧାଇଁ ଆସନ୍ତି ଲକ୍ଷ ଲକ୍ଷ ଭକ୍ତ । କିନ୍ତୁ ବର୍ଷା ଦିନରେ ଭୟ ବଢ଼ାଇଛି ମୁକୁଳା ଡ୍ରେନ । ରାସ୍ତା ଘାଟ ଗଳି କନ୍ଦି ଯୁଆଡ଼େ ଦେଖିବେ ସିଆଡ଼େ ଖୋଲା ପଡିଛି ଡ୍ରେନ୍ । ମୁକୁଳା ଡ୍ରେନକୁ ନେଇ ଚିନ୍ତାରେ ସହରବାସୀ । କେତେବେଳେ ବି ମୁକୁଳା ଡ୍ରେନ୍ ନେଇ ପାରେ ଲୋକଙ୍କ ଜୀବନ । ସହରର ବଳିଆପଣ୍ଡା, ସିଦ୍ଧମହାବୀର, ଚକ୍ରତୀର୍ଥ ରୋଡ୍, ତାଳବଣିଆ, ରେଡ୍କ୍ରସ୍ ରୋଡ ସହ ବିଭିନ୍ନ ଗଳିକନ୍ଦିରେ ମୁକୁଳା ହୋଇ ପଡିଛି ଡ୍ରେନ୍। ମୌସୁମୀ ବର୍ଷା ଆରମ୍ଭ ହୋଇସାରିଥିବା ବେଳେ ରାସ୍ତାରେ ପାଣି ଜମୁଛି। ଫଳରେ ଡ୍ରେନ୍ ଓ ରାସ୍ତା ଏକାକାର ହୋଇପଡ଼ିବାରୁ ଯାତାୟତ ବେଳେ ବାଧା ଉପୁଜୁଛି । ବିଭିନ୍ନ ସମୟରେ ମୁକୁଳା ଡ୍ରେନରେ ପଡ଼ି ଅନେକ ଲୋକଙ୍କ ଜୀବନ ଯିବାର ଆଶଙ୍କା ବଢ଼ିବାରେ ଲାଗିଛି ।
ନିକଟରେ କଟକ ସହରରେ ଏହି ମୁକୁଳା ଡ୍ରେନ ଯୋଗୁଁ ଦୁଇ ଦୁଇଟି ନୀରିହ ଜୀବନ ଚାଲି ଯାଇଛି । କଟକ ସହରରେ ଘଟିଥିବା ଏହି ଅଘଟଣରୁ କିନ୍ତୁ କିଛି ଶିକ୍ଷା ପାଇ ପାରିଲା ନାହିଁ ପୁରୀ ପୌରପାଳିକା । ପ୍ରତିବର୍ଷ ଡ୍ରେନ୍ ଉପରେ ସ୍ଲାବ୍ ପକାଇବା ପାଇଁ କୋଟି କୋଟି ଟଙ୍କା ଅର୍ଥ ଖର୍ଚ୍ଚ ହେଉଥିବା ବେଳେ ଏହି ଅର୍ଥ କୁଆଡେ ଯାଉଛି ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି । ମୁକୁଳା ଡ୍ରେନ୍ରେ ସ୍ଲାବ୍ ପକାଯାଉଥିବା ନେଇ ପୌର ଅଧିକାରୀ ବାହାସ୍ପଟ ମାରୁଥିବା ବେଳେ ପ୍ରକୃତ ପକ୍ଷେ କାର୍ଯ୍ୟ କିନ୍ତୁ ଶୂନ । ଯଦି ମୁକୁଳା ଡ୍ରେନ୍ରେ ପଡ଼ି କାହାର ପ୍ରାଣ ଚାଲିଯାଏ ତେବେ ଏଥିପାଇଁ ପୌର ଅଧିକାରୀ ଦାୟୀ ରହିବେ କି ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ ଓ ସହରବାସୀ ।
ଏହା ମଧ୍ୟ ପଢନ୍ତୁ-ବନ୍ଧୁ ଘର ବୁଲି ଆସିଥିଲେ, ମୁକୁଳା ଡ୍ରେନରେ ପଡି ଚାଲିଗଲା ଯୁବକଙ୍କ ଜୀବନ
ଗତ ୨୦୨୨ ମେ' ୧୮ ଓ ନଭେମ୍ବର ୬ ତାରିଖରେ ପୁରୀ ବଡ଼ଦାଣ୍ଡର ମାର୍କେଟ ଛକ ଏବଂ ରେଡ୍କ୍ରସ୍ ରୋଡ୍ରେ ଥିବା ମୁକୁଳା ଡ୍ରେନ୍ରେ ପଡ଼ି ଦୁଇଜଣ ବ୍ୟକ୍ତିଙ୍କ ଜୀବନ ଯାଇଥିଲା । ଏହାପରେ ପୁରୀ ସହରର ସମସ୍ତ ଡ୍ରେନ୍ରେ ସ୍ଲାବ୍ ପକାଯାଇ ଘୋଡ଼ାଯିବ ବୋଲି ପୌର ଅଧିକାରୀ ସରୋଜ କୁମାର ସ୍ବାଇଁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଏହା ମଧ୍ୟରେ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ସ୍ଥିତି କିନ୍ତୁ ବଦଳି ପାରିଲା ନାହିଁ । ବଳିଆପଣ୍ଡା, ସମୁଦ୍ର କୂଳ, ସିଦ୍ଧମହାବୀର, ତାଳବଣିଆ ଏବଂ ସହରର ଅଧିକାଂଶ ଗଳିକନ୍ଦିରେ ମୁକୁଳା ଡ୍ରେନରେ ସ୍ଲାବ୍ ପଡିପାରିଲା ନାହିଁ । କେବଳ କାଗଜ କଲମରେ ସୀମିତ ରହିଯାଇଛି ମୁକୁଳା ଡ୍ରେନ୍ରେ ସ୍ଲାବ୍ ପକାଇବା କାର୍ଯ୍ୟ।