ପୁରୀ: ବନ୍ୟା ଛାଡିଯାଇଥିଲେ ମଧ୍ୟ ବଢିଛି ଚାଷୀଙ୍କ ଦୁର୍ଦ୍ଦଶା । ବନ୍ୟା ପରେ ଚିନ୍ତାରେ ଚାଷୀ । ପୁରୀ ଜିଲ୍ଲା ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ ବନ୍ୟାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି । ଏହି ଅଞ୍ଚଳରେ ବନ୍ୟା ପାଣିରେ ଶହ ଶହ ଏକର ଚାଷ ଜମିରେ ବାଲି ଚରିଯିବା ସହିତ ଫସଲ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ତେବେ ଏନେଇ ଚାଷୀମାନେ ସରକାରଙ୍କ ଠାରୁ କ୍ଷତିପୂରଣ ପାଇବା ଆଶାରେ ରହିଛନ୍ତି ।
ପୁରୀ ଜିଲ୍ଲା ପିପିଲି ଓ ଡେଲାଙ୍ଗ ବ୍ଲକର ୧୯ ପଞ୍ଚାୟତର ପ୍ରାୟ ୮୫ରୁ ଅଧିକ ଗ୍ରାମ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି । ପିପିଲି ବ୍ଲକରେ ୨୫ ଗ୍ରାମ ଓ ଡେଲାଙ୍ଗ ବ୍ଲକର ୬୦ ଗୋଟି ଗାଁ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ ଶହ ଶହ ଏକର ଜମିରେ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଛି । ବିଶେଷ କରି ପିପିଲିର ପୋପରଙ୍ଗା, ହାଟ ସାହି, କଣ୍ଟି, ପାଣିଦୋଳ, ଭାରତୀ ପୁର ଅଞ୍ଚଳରେ ବନ୍ୟାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି । ପିପିଲି ବ୍ଲକରେ ଛତୁ, ପୋଟଳ, କାଙ୍କଡ଼, ବାଇଗଣ, କଲରା, ଭେଣ୍ଡି ଓ ଧାନ ଚାଷ ବନ୍ୟା ଜଳରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଜମିରେ ୪ ଇଞ୍ଚରୁ ପ୍ରାୟ ୨ଫୁଟ ପର୍ଯ୍ୟନ୍ତ ବାଲି ଚରିଯାଇଛି । ଗୋଟିଏ ପଟେ ଚାଷ ନଷ୍ଚ ହୋଇ ଯାଇଥିବା ବେଳେ ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ସେପଟେ ଚାଷ ଜମିରୁ ବାଲି ଉଠାଇବା ପାଇଁ ଚାଷୀ ହାତରେ ସମ୍ବଳ ନାହିଁ । ଚାଷ ଜମିରୁ କିଭଳି ବାଲି ଉଠାଯିବ ଆଉ କିପରି ପୁଣିଥରେ ଜମିରେ ଚାଷ କରାଯିବ ସେନେଇ ଚିନ୍ତାରେ ଚାଷୀ ।