ଓଡିଶା

odisha

ETV Bharat / state

Srimandir Ratna Bhandar: ଆସନ୍ତାବର୍ଷ ରଥଯାତ୍ରା ବେଳେ ଖୋଲିବା ପାଇଁ ସରକାରଙ୍କୁ ସୁପାରିଶ କରାଯିବ: ଜିଲ୍ଲାପାଳ - ରଥଯାତ୍ରା ବେଳେ ଖୋଲିବା ପାଇଁ ସରକାରଙ୍କୁ ସୁପାରିଶ କରାଯିବ

ଜିଲ୍ଲାପାଳ କହିଛନ୍ତି ଯେ ଏହା ପୂର୍ବରୁ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ କରାଯିବ। ଏଏସଆଇ, ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଇଞ୍ଜିନିୟର ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରାଯିବା ପରେ ରିପୋର୍ଟକୁ ଅନୁଧ୍ୟାନ କରାଯାଇ ସରକାରଙ୍କୁ ମଧ୍ୟ ଏନେଇ ଅବଗତ କରାଯିବ । ଅଧିକ ପଢନ୍ତୁ

ଆସନ୍ତାବର୍ଷ ରଥଯାତ୍ରା ବେଳେ ଖୋଲିବା ପାଇଁ ସରକାରଙ୍କୁ ସୁପାରିଶ କରାଯିବ: ଜିଲ୍ଲାପାଳ
ଆସନ୍ତାବର୍ଷ ରଥଯାତ୍ରା ବେଳେ ଖୋଲିବା ପାଇଁ ସରକାରଙ୍କୁ ସୁପାରିଶ କରାଯିବ: ଜିଲ୍ଲାପାଳ

By

Published : Aug 4, 2023, 7:53 PM IST

ଆସନ୍ତାବର୍ଷ ରଥଯାତ୍ରା ବେଳେ ଖୋଲିବା ପାଇଁ ସରକାରଙ୍କୁ ସୁପାରିଶ କରାଯିବ: ଜିଲ୍ଲାପାଳ

ପୁରୀ: ବହୁ ବର୍ଷ ପ୍ରତିକ୍ଷାର ହେବ ଅନ୍ତ । ଆଗାମୀ 2024 ରଥଯାତ୍ରା ସମୟରେ ଖୋଲିପାରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଆଗାମୀ ରଥଯାତ୍ରା ବେଳେ ରତ୍ନଭଣ୍ଡାର ଖୋଲି ଯାଞ୍ଚ କରାଇବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ ସୁପାରିଶ କରିବ । ଆଜି ବସିଥିବା ପରିଚାଳନା କମିଟି ବୈଠକ ପରେ ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

ଜିଲ୍ଲାପାଳ କହିଛନ୍ତି, ‘‘ଏଏସଆଇ ପକ୍ଷରୁ ରତ୍ନଭଣ୍ଡାରର ଯାଞ୍ଚ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖାଯିବା ପରେ ଏହି ପ୍ରସଙ୍ଗରେ ଆଜି ଆଲୋଚନା ହୋଇଛି । ରତ୍ନଭଣ୍ଡାର ଖୋଲାଯିବା ନେଇ ନିଷ୍ପତ୍ତି ହୋଇଛି । ଆସନ୍ତା ରଥଯାତ୍ରା ୨୦୨୪ ସମୟରେ ଭିତର ରତ୍ନଭଣ୍ଡାର ଖୋଲି ଏଏସଆଇ ଦ୍ବାରା ଯାଞ୍ଚ କରାଯିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦିଆଯିବ । ସୁପ୍ରିମକୋର୍ଟ ଅବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ଵାବଧାନରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ଭିତର‌ ରତ୍ନଭଣ୍ଡାର ଖୋଲାଯାଉ ବୋଲି ସରକାରଙ୍କୁ ପ୍ରସ୍ତାବ ଦିଆଯିବ‌ ।’’

ଏହାବି ପଢନ୍ତୁ- ହାଇକୋର୍ଟରେ ରତ୍ନଭଣ୍ଡାର ମାମଲା; ୪ ପକ୍ଷଙ୍କୁ ନୋଟିସ, ଅଗଷ୍ଟ ୭ ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ

ସେହିପରି ଜିଲ୍ଲାପାଳ କହିଛନ୍ତି ଯେ ଏହା ପୂର୍ବରୁ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ କରାଯିବ। ଏଏସଆଇ, ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଇଞ୍ଜିନିୟର ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରାଯିବା ପରେ ରିପୋର୍ଟକୁ ଅନୁଧ୍ୟାନ କରାଯାଇ ସରକାରଙ୍କୁ ମଧ୍ୟ ଏନେଇ ଅବଗତ କରାଯିବ । ତେବେ ରଥଯାତ୍ରା ସମୟରେ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ‌ କରୁଥିବାରୁ ସେହି ସମୟ ହିଁ ରତ୍ନଭଣ୍ଡାର ଯାଞ୍ଚର ପ୍ରକୃଷ୍ଟ ସମୟ ବୋଲି ପରିଚାଳନା କମିଟିରେ ମତପ୍ରକାଶ ପାଇବା ପରେ ଏହି ନିଷ୍ପତ୍ତି ହୋଇଛି ।

ଦୁଇଥର ହେବ ବନକଲାଗି ନୀତି: ସେପଟେ ବନକଲାଗି ନୀତି ନେଇ ଚାଲିଥିବା ବିବାଦ ପ୍ରସଙ୍ଗରେ ମଧ୍ୟ ପରିଚାଳନା କମିଟିରେ ଆଲୋଚନା ହୋଇ ନୀତି ସମ୍ପାଦନା ପ୍ରସଙ୍ଗରେ ଆଲୋଚନା ହୋଇଛି। ମାସକୁ ଦୁଇଥର ବୁଧବାର ଦିନ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଯଦି କୌଣସି କାରଣବଶତଃ ବୁଧବାର ନହୋଇ ପାରିବ ତେବେ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି କ୍ରମେ ଏହା ଗୁରୁବାର ଦିନ ସମ୍ପାଦନ ହେବ।

ଏହାବି ପଢନ୍ତୁ- ବୁଧବାର ହେବ ତ ଶ୍ରୀଜିଉଙ୍କ ବନକଲାଗି ନୀତି ? ହୋଇନାହିଁ ବିବାଦର ସମାଧାନ

ଏବେ ଖୋଲିବ ନାହିଁ ଚାରିଦ୍ବାର: ସେହିପରି ଜିଲ୍ଲାପାଳ କହିଛନ୍ତି ଯେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବାରୁ ଚାରିଦ୍ବାର ଭକ୍ତଙ୍କ ପାଇଁ ଖୋଲିବା ସମ୍ଭବ ହେଉନାହିଁ। ଏଣୁ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ସମସ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପ୍ରସଙ୍ଗରେ ନିଷ୍ପତ୍ତି ନିଆଯାଇ ପଦକ୍ଷେପ ନିଆଯିବ । ସେହିଭଳି ପୁରୀର ପାରମ୍ପରିକ କୁସ୍ତିକୁ ଆଗେଇ ନେବା ପାଇଁ ପରିଚାଳନା କମିଟି ପକ୍ଷରୁ ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯିବ।

ଅନ୍ୟପଟେ ଗରିବ ଶ୍ରେଣୀର ସେବାୟତଙ୍କ ପାଇଁ ବାସଗୃହ ନିର୍ମାଣ, ସେବାୟତ ପରିବାର ବିଦ୍ୟାର୍ଥୀଙ୍କ ପାଇଁ ଗୁରୁକୂଳ ଆଶ୍ରମ ନିର୍ମାଣକୁ ଖୁବଶୀଘ୍ର ଶେଷ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ। ତେବେ ୨୦୨୩ ରଥଯାତ୍ରାରେ ହୋଇଥିବା ତ୍ରୁଟି ବିଚ୍ୟୁତି, ନୀତିରେ ବିଶୃଙ୍ଖଳା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିବାବେଳେ ଆଗାମୀ ଦିନରେ ଏଥିରେ କିଭଳି ସୁଧାର ଆସିବ ସେଦିଗରେ ବ୍ୟାପକ ପଦକ୍ଷେପ ନିଆଯିବ ବୋଲି ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଛି ।‌

ପୁରୀ ବଡଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା,‌ ଏସପି ଡ କନୱର ବିଶାଳ ସିଂ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details