ପୁରୀ:ଫେସବୁକରେ ଲାଇଭ କରି ଜୀବନ ହାରିଲେ ବ୍ୟକ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ନାଗପୁର ଅଞ୍ଚଳରେ । ମୃତକ ହେଲେ ନାଗପୁର ଅଞ୍ଚଳର ସୁଜିତ ସିହ୍ନା । ପାରିବାରିକ କଳହକୁ କେନ୍ଦ୍ରକରି ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ଅନ୍ୟପଟେ ସୋସିଆଲ ମିଡିଆରେ ଲାଇଭ କରି ଏପରି ଭାବେ ଜୀବନ ହାରିବା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।
ଏହାମଧ୍ୟ ପଢନ୍ତୁ..ପତ୍ନୀ ଓ ୨ ଝିଅଙ୍କୁ ଗୁଳି କରି ହତ୍ୟା କରିବା ପରେ ଚରମ ନିଷ୍ପତ୍ତି ନେଲେ କନେଷ୍ଟବଳ
ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ନାଗପୁର ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତ ସୁଜିତଙ୍କର ନାଗପୁରରେ ଏକ ମେଡିସିନ ଷ୍ଟୋର ରହିଛି । ସେହି ମେଡିସିନ ଷ୍ଟୋରରେ ତାଙ୍କର ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ଗୁରୁବାର ରାତିରେ ସୁଜିତଙ୍କ ଜଣେ ବନ୍ଧୁ ତାଙ୍କୁ ଫେସବୁକରେ ଲାଇଭ କରୁଥିବା ଦେଖିଥିଲେ । ଭିଡିଓ ଦେଖିବା ବେଳକୁ ସେ ଆତ୍ମହତ୍ୟା ଉଦ୍ୟମ କରୁଥିବା ଦେଖିବାକୁ ପାଇଥିଲେ । ତେବେ ଏନେଇ ସେ ତୁରନ୍ତ ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ । ଘର ଲୋକେ ଦୋକାନ କବାଟ ଭାଙ୍ଗି ସୁଜିତଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେତେବେଳକୁ ତାଙ୍କ ମୃତ୍ୟୁ ହୋଇସାରିଥିଲା ।