ପୁରୀ: ସିଡିଏମଓଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ । କାର୍ଯ୍ୟାନୁଷ୍ଠାନ ଦାବି କରିଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ପୁରୀ ସିଡିଏମଓ ଡାକ୍ତର ସୁଜାତା ମିଶ୍ରଙ୍କୁ ଦୁର୍ବ୍ୟବହାର କରିଥିବା ବ୍ୟକ୍ତି ହେକ୍ଟର ମିଶ୍ରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକରେ ସମ୍ପୃକ୍ତ ବ୍ୟକ୍ତି ସୁଜାତା ମିଶ୍ରଙ୍କୁ ଆକ୍ଷେପ କରିବା ସହ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଥିଲା ।
ଅଭିଯୋଗ ଅନୁଯାୟୀ, ରଥୟାତ୍ରା ପ୍ରଥମ ସମନ୍ୱୟ ବୈଠକ ଚାଲିଥିବା ବେଳେ ହେକ୍ଟର ମିଶ୍ର ନାମକ ଜଣେ ବ୍ୟକ୍ତି ସିଡିଏମଓ ସୁଜାତା ମିଶ୍ରଙ୍କୁ ରଥଯାତ୍ରା ସମ୍ବର୍ଦ୍ଧିତ ପ୍ରଶ୍ନ ନପଚାରି, ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ଉତ୍ତର ମାଗିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଜନସ୍ୱାସ୍ଥ୍ୟ ଅଧିକାରୀ ସୁଜାତା ମିଶ୍ରଙ୍କୁ ଆକ୍ଷେପ କରି ବୈଠକରେ କହିଥିଲେ । ସିଡିଏମଓଙ୍କୁ ଦୁର୍ବ୍ୟବହାର ଘଟଣାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଘୋର ନିନ୍ଦାକରିଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ହେକ୍ଟର ମିଶ୍ରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି ।
ଆଗାମୀ ୪୮ଘଣ୍ଟା ମଧ୍ୟରେ ଉକ୍ତ ବ୍ୟକ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ, ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏଥିସହ ରଥଯାତ୍ରାରେ ସହଯୋଗ କରାଯିବ ନାହିଁ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଡା. ଦେବୀ ମହାପାତ୍ର, ଡା. ଲଲାଟେନ୍ଦୁ ମିଶ୍ର, ଡା.ବିରଜା ଶଙ୍କର ରଥ, ଡା.ସୁନୀଲ ତରାଇ, ଡା.ସୌମ୍ୟରଞ୍ଜନ ସରଙ୍ଗୀ, ଡା.ସଞ୍ଜୟ କୁମାର ପ୍ରଧାନ, ଡା.ବିଶ୍ୱଜିତ ମିଶ୍ର , ଡା.ଆଶିଷ ମହାପାତ୍ର, ଡା.ସନ୍ତୋଷ କୁମାର ତ୍ରିପାଠୀ ସେମତ ବ୍ଲକ ଜିଲ୍ଲାସ୍ତରୀୟ ପ୍ରାୟ ଶତାଧିକ ସ୍ୱାସ୍ଥ୍ୟ କର୍ମଚାରୀ ଆସି ଜିଲ୍ଲାପାଳଙ୍କୁ ସାକ୍ଷାତ କରି କାର୍ଯ୍ୟନୁଷ୍ଠାନ ଦାବି କରିଛି ।
ପ୍ରକାଶ ଥାଉକି, ଗତକାଲି (ମଙ୍ଗଳବାର) ଚଳିତ ବର୍ଷ ରଥଯାତ୍ରା ପାଇଁ ପୁରୀରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ରଥଯାତ୍ରାରେ ଶୃଙ୍ଖଳିତ ନୀତିକାନ୍ତି, ଭିଡ଼ ନିୟନ୍ତ୍ରଣ, ବିଭିନ୍ନ ବିଭାଗର କାର୍ଯ୍ୟ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବା ସହ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସାରିବାକୁ ନିଷ୍ପତ୍ତି ନିଆଯାଇଛି । ସ୍ଵାସ୍ଥ୍ୟ ଓ ବିଦ୍ୟୁତ ଯୋଗାଣକୁ କିଭଳି ଅଧିକ ତ୍ବରିତ କରାଯାଇ ପାରିବ ସେନେଇ ବୈଠକରେ ଆଲୋଚନା ହୋଇଛି । ରଥଯାତ୍ରା ସମୟରେ ଯାତ୍ରୀଙ୍କ ଯାତାୟତ ସୁବିଧା ପାଇଁ ରେଳ ବିଭାଗ ପକ୍ଷରୁ ୨୧୦ଟି ସ୍ଵତନ୍ତ୍ର ଟ୍ରେନ ଚଳାଚଳ କରିବ। ଭିନ୍ନକ୍ଷମ ବ୍ୟକ୍ତିଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ । ରଥଯାତ୍ରା ପାଇଁ ପ୍ରଥମ ସମନ୍ଵୟ କମିଟି ବୈଠକରେ ୨୧ଟି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି ।
ଇଟିଭି ଭାରତ, ପୁରୀ