ପୁରୀ/ବ୍ରହ୍ମଗିରି: ଦୀର୍ଘ 36 ଦିନ ଅଟକି ରହିବା ପରେ ସମୁଦ୍ର ଗର୍ଭକୁ ଗଲା ମାଲେସିଆ ଜାହାଜ । ଚିଲିକାର ରାଜହଂସରେ ଫସିଥିବା ଜାହାଜକୁ ସଫଳ ଓ ସୁରକ୍ଷିତ ଭାବରେ ରବିବାର ରାତ୍ରି 8ଟା ସମୟରେ ଉଦ୍ଧାର କରି ସମୁଦ୍ର ଭିତରକୁ ନିଆଯାଇଛି । ବଡ ବଡ ଜୁଆରର ଧକ୍କା ଓ ମାଲେସିଆରୁ ଆସିଥିବା 20 ଜଣିଆ ଟିମରେ ଅକ୍ଲାନ୍ତ ପରିଶ୍ରମ ପରେ ପରେ ସମୁଦ୍ର ଭିତରକୁ ଗଲା ମାଲେସିଆ ଜାହାଜ ଜିନ୍ ହ୍ୱା-32 ।
ସମୁଦ୍ରକୁ ଗଲା ମାଲେସିଆ ଜାହାଜ ଜିନ୍ ହୱା-୩୨ ଅଗଷ୍ଟ 9ରୁ ଚିଲିକାର ରାଜହଂସରେ ଫସି ରହିଥିବା ଏହି ଜାହାଜକୁ ନେବା ପାଇଁ ସିଙ୍ଗାପୁରରୁ ଏକ ସ୍ବତନ୍ତ୍ର ଶକ୍ତିଶାଳୀ ଜାହାଜ ଏମଭି ଚିତା ଆସିଥିଲା । ଏହି ଜାହାଜ ସହ 20 ଜଣିଆ ସଦସ୍ୟ ମଧ୍ୟ ଆସିଥିଲେ । 20 ଜଣ କୁଶଳୀ ଜାହାଜ କାରିଗରଙ୍କ 15 ଘଣ୍ଟା ପରିଶ୍ରମ ପରେ ରାତି 10ଟାରେ ଚିଲିକା ଛାଡିଛି ମାଲେସିଆ ଜାହାଜ ।
କର୍ମଚାରୀ ଓ ଏମଭି ଚିତା ଗତକାଲି ସକାଳ ୭ଟା ରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ପରେ ରାତି 10ଟାରେ ଉଦ୍ଧାର କରି ସମୁଦ୍ର ଗର୍ଭକୁ ନେବାରେ ସଫଳ ହୋଇଥିଲା । ଜାହାଜଟି ଢେଉ ମାଡରେ କିଛି ଅଂଶ ପୋତି ହୋଇଯାଇଥିବାରୁ ସେଥିରେ ଆସିଥିବା କର୍ମଚାରୀଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା । ଜେସିବି ଦ୍ଵାରା ଜାହାଜ ନିକଟରୁ ବାଲି କାଢିବା ପରେ ମଧ୍ୟ ଜାହାଜ ଚଳି ନଥିଲା । ରାତି 8ଟା ରେ ସମୁଦ୍ରରେ ଜୁଆର ଆସିବାରୁ 1 କି ମି ସମୁଦ୍ର ଭିତରେ ଥିବା ସିଙ୍ଗାପୁର ଜାହାଜ ଶକ୍ତ ଦୌଡ଼ି ସାହାଯ୍ୟରେ ମାଲେସିଆ ଜାହାଜକୁ ସମୁଦ୍ର ଭିତରକୁ ଭିଡି ନେବା ପାଇଁ ସକ୍ଷମ ହୋଇଛି ।
ଏହାକୁ ପ୍ରଥମେ କଲିକତା ନିଆଯାଇ ଯାନ୍ତ୍ରିକ ତ୍ରୁଟିର ମରାମତି କରାଯିବା ପରେ ଏହାକୁ ମାଲେସିଆ ନିଆଯିବ ବୋଲି ସୁଚନା ମିଳିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ