ପୁରୀ:ପରିକ୍ରମା ପ୍ରକଳ୍ପକୁ ନେଇ ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ବେଦଧ୍ବନିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଆଉ 2 ଦିନ ଥିବା ବେଳେ ଆଜି(ସୋମବାର)ଠାରୁ ମହାଯଜ୍ଞ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଐଶାନ୍ୟ କୋଣ ଯଜ୍ଞ ମଣ୍ଡପରେ ଆଚାର୍ଯ୍ୟ ବ୍ରାହ୍ମଣମାନେ ବୈଦିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରୁଛନ୍ତି । ଭକ୍ତମାନେ ଏକତ୍ରିତ ହୋଇ ମହାପ୍ରଭୁଙ୍କ ନାମ ସଂକୀର୍ତ୍ତନ କରି ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ପ୍ରଦକ୍ଷିଣ କରୁଥିବା ଦେଖିବାକୁ ମିଳିଛି ।
ଲୋକାର୍ପିତ ହେବାକୁ ଥିବା ଶିଳାକୁ ମଧ୍ୟ ବ୍ରାହ୍ମଣ ମାନଙ୍କ ଦ୍ବାରା ପୂଜାର୍ଚ୍ଚନା କରାଯାଇଛି। ଆଜି ପୌଷ ଶୁକ୍ଳ ପଞ୍ଚମୀ ତିଥିରେ ସକାଳ ୭ଟା ୩୭ରେ ଅଖଣ୍ଡ ଦୀପ ସ୍ଥାପନ କରାଯାଇ ପଞ୍ଚକର୍ମ, ବ୍ରାହ୍ମଣ ବରଣ ସହ ମଣ୍ଡଳ ପୂଜନ ହୋଇଥିଲା। ଶ୍ରୀମନ୍ଦିର ଚାରିଦ୍ଵାରରେ ବେଦ ପାରାୟଣ ଏବଂ ନାମ ସଂକୀର୍ତ୍ତନ ମଧ୍ୟ ଆୟୋଜନ କରାଯାଇଛି। ବୈଷ୍ଣ ବାଗ୍ନି ସଂସ୍କାର, ହବନ, ଆରତୀ, ପୁଷ୍ପାଞ୍ଜଳି, ପ୍ରଦକ୍ଷୀଣ ଅନୁଷ୍ଠିତ ହୋଇଥିଲା । ଆଜି ମକର ସଂକ୍ରାନ୍ତି ଭଳି ଏକ ପବିତ୍ର ଦିବସରେ ମହାଯଜ୍ଞ ଆରମ୍ଭ ହୋଇଥିବାରୁ ଏହା ସମସ୍ତଙ୍କ ପାଇଁ ପରମ ସୌଭାଗ୍ୟର ବିଷୟ ବୋଲି ଆଚାର୍ଯ୍ୟ ବ୍ରାହ୍ମଣ ମାନେ କହିଛନ୍ତି ।
ଏହା ବି ପଢନ୍ତୁ- ଆଉ ହାତରେ 2ଦିନ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୀକ୍ଷା କଲେ ପୋଲିସ ଡିଜି
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବକୁ ନେଇ ଐଶାନ୍ୟ କୋଣରେ ମହାଯଜ୍ଞ ଆରମ୍ଭ ହୋଇଥିବାରୁ ଏହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ । ଲୋକାର୍ପଣ ଉତ୍ସବ କିଭଳି ସଫଳ ହୋଇପାରିବ ତାହାକୁ ନେଇ ତନ୍ନ ତନ୍ନ ଅନୁଧ୍ୟାନ କରୁଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ସବୁକିଛି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚାଲିଥିବା ବେଳେ ଆସନ୍ତାକାଲି ସୁଦ୍ଧା ନିମନ୍ତ୍ରିତ ଅତିଥିମାନେ ଆସି ପୁରୀରେ ପହଞ୍ଚିଯିବେ ବୋଲି କହିଛନ୍ତି ଜିଲ୍ଲାପାଳ।