ପୁରୀ: ବିଭିନ୍ନ ଶକ୍ତିପୀଠରେ ଚାଲିଛି ଶାରଦୀୟ ମହାସପ୍ତମୀ ପୂଜା । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ରର ବିଭିନ୍ନ ଶକ୍ତିପୀଠ । ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଓ ପୂଜାକୁ ଶୃଙ୍ଖଳିତ ଭାବେ ଆୟୋଜନ ପାଇଁ ପୁରୀ ପୋଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।
ମହାସପ୍ତମୀ ପୂଜା ପାଇଁ ଚଳଚଞ୍ଚଳ ଶକ୍ତିପୀଠ । ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା' ବିମଳାଙ୍କ ନୀତିକାନ୍ତି ଅନୁଯାୟୀ ପୁରୀର ବିଭିନ୍ନ ଶକ୍ତିପୀଠ ଗୁଡିକରେ ମହାସପ୍ତମୀ ବେଶ୍ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଛି । ପରମ୍ପରା ଅନୁଯାୟୀ ମହାସପ୍ତମୀ ପୂଜାରେ ଶ୍ରୀମନ୍ଦିର ନିକଟରେ ଥିବା ମା' କାକୁଡିଖାଇଙ୍କର ବିଲ୍ୱବରଣ ନୀତି ସହ ପାଣିତୋଳା, ଚକ୍ଷୁଦାନ, ଶୀତଳ ଭୋଗ, ଚଣ୍ଡୀ ପୂଜା, ଶଙ୍ଖୁଡି ଭୋଗ ଆଦି ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଦେବୀ କାକୁଡିଖାଇ ମା' ବିମଳାଙ୍କ ଅଂଶ ହୋଇଥିବାରୁ ମା'ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମିଛି । ଷୋଡ଼ଶ ଉପଚାର ପୂଜା ସମୟରେ ମା' ବିମଳାଙ୍କୁ ମହିଳାମାନେ ଦର୍ଶନ କରିବା ନିଷିଦ୍ଧ ଥିବାବେଳେ ମା' କାକୁଡିଖାଇଙ୍କୁ ଦର୍ଶନ କରୁଛନ୍ତି ମହିଳା ଶ୍ରଦ୍ଧାଳୁ । ବିଶ୍ବାସ ରହିଛି ଏହି ଶାରଦୀୟ ଦୁର୍ଗା ପୂଜା ସମୟରେ ଭକ୍ତମାନେ ମା' କାକୁଡିଖାଇଙ୍କୁ ନିଷ୍ଠାର ସହ ପୂଜା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।