ପୁରୀ: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ହେଉଛନ୍ତି ଭକ୍ତ ଶିରୋମଣି ଦାସିଆ ବାଉରୀ। ଶ୍ରୀଜଗନ୍ନାଥଙ୍କ ଜଣେ ଶ୍ରେଷ୍ଠ ଭକ୍ତ ଭାବେ ଭକ୍ତ ଦାସିଆ ସର୍ଵଜନବିଦିତ। ଏହି ପରମ ଭକ୍ତ ପୁରୀ ଜିଲା ପିପିଲି ର ବାଲିଗାଁ ରେ 15 ଶହ ଖ୍ରୀଷ୍ଟାବ୍ଦରେ ଜନ୍ମ ଗ୍ରହଣ କରିଥିଲେ। ପୁରୀ ଭୁବନେଶ୍ୱର ଜାତୀୟ ରାଜ ପଥର ପିପିଲି ପରବର୍ତ୍ତୀ ନିର୍ମଳା ଛକ ନିକଟ ରୁ 3 କିମି ଗଲେ ପଡେ ଭକ୍ତ ଦାସିଆ ପୀଠ ବାଲିଗାଁ। ଦାସିଆଙ୍କ ଜନ୍ମ ସ୍ଥାନ ରେ ଏବେ ଭକ୍ତ ଦାସିଆଙ୍କ ସମାଧି ପୀଠ ପୂଜା ପାଉଛି ।
2009 ମସିହାରେ ରାଜ୍ୟ ସଂସ୍କୃତି ବିଭାଗ ଏଠାରେ ଜଗନ୍ନାଥ ମନ୍ଦିର ସହ ଭକ୍ତ ଦାସିଆ ପ୍ରଭୁ ଜଗନ୍ନାଥଙ୍କୁ ନଡିଆ ଅର୍ପଣ କରୁଥିବା ଏକ ବଡ ବ୍ରୋଞ୍ଜ ପ୍ରତିମୂର୍ତ୍ତି ରହିଛି। ଏଥି ସହିତ ସେଠରେ ଲକ୍ଷ୍ମୀ ମନ୍ଦିର ସମେତ ବିମଳା ମନ୍ଦିର, ଗଣେଶ ମନ୍ଦିର, ତୁଳସୀ ବଗିଚା ପ୍ରଭୃତି ରହିଛି। ପୁରୀ ଆସୁଥିବା ଜଗନ୍ନାଥ ପ୍ରେମୀ ଦାସିଆ ପୀଠକୁ ଯାଇ ପୂଜାର୍ଚ୍ଚନା ସମେତ ମାନସିକ ମଧ୍ୟ ରଖିଥାନ୍ତି। ଭକ୍ତ ଦାସିଆଙ୍କ ଜନ୍ମତିଥୀ କାର୍ତ୍ତିକ ଶୁକ୍ଳ ଏକାଦଶୀରେ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ।
ଭକ୍ତ ଦାସିଆଙ୍କ ଭକ୍ତିର କାହାଣୀ ଅନନ୍ୟ। ଦାସିଆ ଏକ ନିଚ୍ଚ ଜାତିରେ ଜନ୍ମ ଗ୍ରହଣ କରିଥିବାରୁ ସେତେବେଳେ ଜାତିପ୍ରାଥର ଭେଦଭାବର ଶିକାର ହୋଇ ଥିଲେ। ଯଦ୍ବାରା ସେ ପ୍ରଭୁଙ୍କ ଦର୍ଶନ କରିନଥିଲେ । ପିଲାଟି ଦିନରୁ ପ୍ରଭୁ ଜଗନ୍ନାଥଙ୍କ ଭଜନ, ଜଣାଣ ଶୁଣିବା ସହ ସବୁ ବେଳେ ପ୍ରଭୁ ଜଗନ୍ନାଥଙ୍କୁ ଡାକୁ ଥିଲେ। ଇତିହାସ କୁହେ ଏକଦା ତାଙ୍କ ଗ୍ରାମରୁ ଜଣେ ବ୍ରାହ୍ମଣ ଶ୍ରୀମନ୍ଦିର କୁ ଯାଉ ଥିବା ବେଳେ ସେ ତାଙ୍କ ହାତରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ନଡିଆ ପଠାଇ ଥିଲେ। ଏହାସହ କହିଥିଲେ ପ୍ରଭୁଙ୍କୁ କହିବ ତୁମ ଭକ୍ତ ଦାସିଆ ପଠାଇଛି। ଯଦି ପ୍ରଭୁ ନଡିଆ ନ ନିଅନ୍ତି ଫେରାଇ ଆଣିବ। ବ୍ରାହ୍ମଣ ଜଣଙ୍କ ଶ୍ରୀମନ୍ଦିର ଗରୁଡ ସ୍ତମ୍ଭ ନିକଟରେ ଏହି କଥା କହି ପ୍ରଭୁ ଜଗନ୍ନାଥଙ୍କୁ ନଡିଆ ଅର୍ପଣ କରିଥିଲେ । ପରେ ଯାହା ସେ ଦେଖିଥିଲେ ସେଥିରେ ବିସ୍ମିତ ହୋଇ ଯାଇଥିଲେ। କାରଣ ତାଙ୍କ ହାତରୁ ନଡିଆଟି ଉଭାନ ହୋଇ ଯାଇଥିଲା। ଯାହାକି ଭକ୍ତ ଦାସିଆଙ୍କ ପ୍ରଭୁ ଜଗନ୍ନାଥଙ୍କ ଉପରେ ଅଗାଢ ଭକ୍ତିର ପ୍ରମାଣ ।