ପୁରୀ:ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ତିନିରଥର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ମୋଟ ୩୯ ଟି ଚକ ସମ୍ପୂର୍ଣ୍ଣ ହୋଇଛି । ବୁଧବାର ସୁଦ୍ଧା ଜନ୍ତାଗାଡ଼ରେ ୩ ଟି ଚକର ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ କରିଛନ୍ତି ଭୋଇ ସେବାୟତମାନେ । ଏଥିସହ ତିନିରଥର ଚାରି ନାହାକାର ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି ।
ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ରଥନିର୍ମାଣ କାର୍ଯ୍ୟ ଜୋର ଧରିଛି । ରଥର ଚାରିନାହାକା ସରିବା ପରେ ମୁହାଁଟି ଅନୁକୂଳ ହୋଇଛି । ଏହି ମୁହାଁଟି ଦଣ୍ତାରେ ଲାଗିବ। ତିନି ରଥ ପାଇଁ ଦୁଇଟି ଲେଖାଁଏ ଗରଗରା ଚଉପଟ କାମ ଚାଲୁଅଛି । ନନ୍ଦିଘୋଷ ରଥର ୯ ଗୋଟି ଦଣ୍ତା, ଦେବଦଳନ ରଥର ୭ ଟି ଦଣ୍ତା ଓ ତାଳଧ୍ବଜ ରଥର ୯ ଟି ଦଣ୍ତା ମଧ୍ୟରୁ ୩ ଟି ଲେଖାଁଏ ଦଣ୍ତାର ଚଉପଟ କାର୍ଯ୍ୟ ଶେଷ ହୋଇଛି । ଦଣ୍ତାରେ ସଂଯୋଗ ପାଇଁ ଦୁଇଟି ଲେଖାଁଏ ମୁହାଁଟରେ ପାଞ୍ଚ ବିନ୍ଧଖୋଦେଇ କାମ ଶେଷ ହୋଇଛି । ତେବେ ଅଖ ଉପରେ ଦଣ୍ତା ପଡ଼ି ଗରଗରା ରହିବା ପରେ ଗରଗରା ଉପରେ ରହିବ ଚାରିନାହାକା । ସେହିପରି ତିନିରଥର ୩୯ ଟି ଚକ କାର୍ଯ୍ୟ ଶେଷ ହୋଇଥିବା ବେଳେ ଭୋଇ ସେବାୟତ ମାନେ ବାକି ତିନୋଟି ଚକର ସିଙ୍ଗଡ଼ା ବାଡ଼ିଆ ସାରି ବିଶ୍ବକର୍ମାଙ୍କୁ ଦେଇଛନ୍ତି ।