ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 21ଦିନ ସାରା ଭାରତ ଲକଡାଉନ ଘୋଷଣା ପରେ ସବୁ ରାଜ୍ୟରେ ନିୟମକୁ କଡାକଡି କରାଯାଇଛି । ପୁରୀ ସହରରେ ମଧ୍ୟ ଲକଡାଉନ ପ୍ରକ୍ରିୟାକୁ ପୋଲିସ ପକ୍ଷରୁ ପୁରା କଡାକଡି କରାଯାଇଛି । କେଵଳ ଯେଉଁମାନେ ଜରୁରୀ କାର୍ଯ୍ୟ ତଥା ସେବାରେ ଅଛନ୍ତି ସେମାନଙ୍କୁ ପୋଲିସ ପକ୍ଷରୁ ପଚରା ଉଚରା କରାଯାଇ ଛଡା ଯାଉଛି। ତେବେ ଅନେକ ଲୋକ ଲକଡାଉନ ନିୟମକୁ ଉଲଘଂନ କରି ରାସ୍ତାରେ ଯାତାୟାତ କରୁଥିବା ମଧ୍ୟ ନଜରକୁ ଆସିଛି। ଏଥିପାଇଁ ପୋଲିସ ପକ୍ଷରୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି।
ପୁରୀ ଏସପି ଉମା ଶଙ୍କର ଦାଶଙ୍କ ସୂଚନା ଅନୁଯାୟୀ, ବୁଧବାର ଲକଡାଉନ ନିୟମ ଉଲଘଂନ କରିଥିବା ହେତୁ 30ଟି ବାଇକକୁ ପୋଲିସ ଆଇନ ଅନୁଯାୟୀ ସିଜ କରିଛି। ଦରକାର ପଡ଼ିଲେ ଆଇନ ଉଲଘଂନ କରୁଥିବା ବ୍ୟକ୍ତିବିଶେଷଙ୍କୁ ଗିରଫ କରାଯିବ ବୋଲି ଏସପି ଚେତାବନୀ ଦେଇଛନ୍ତି।
ସେହିପରି ଅତ୍ୟାବଶ୍ୟକ ଦୋକାନ ଗୁଡିକରେ ଭିଡ଼ କମ କରିବାକୁ ଲୋକଙ୍କୁ କୁହାଯାଉଛି। ନିଜ ଭିତରେ 1 ମିଟର ଦୂରତା ରଖିବାକୁ କୁହାଯାଇଛି। ଯେଉଁ ଦୋକାନରେ ଏହି ନିୟମ ଉଲଘଂନ ହେବ ଉକ୍ତ ଦୋକାନ ମାଲିକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ।