ପୁରୀ:ସାକ୍ଷୀଗୋପାଳ ବଜାର ବ୍ୟବସାୟୀ ସଂଘ ପକ୍ଷରୁ ରେଳ ଓଭର ବ୍ରିଜ୍ ପ୍ରକଳ୍ପ ପ୍ରବଳ ବିରୋଧ କରାଯାଉଛି । ଏହି ପ୍ରକଳ୍ପକୁ ସ୍ଥାନାନ୍ତର କରିବାକୁ ଦାବି କରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଏହାକୁ ନେଇ ପୁରୀ ଜିଲ୍ଲା ସତ୍ୟବାଦୀ ଗୋପାଳଜୀଉ ମନ୍ଦିର ଠାରୁ ବ୍ୟବସାୟୀ ସଂଘ ସଦସ୍ୟମାନେ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ତହସିଲ ସମ୍ମୁଖରେ ଧାରଣା ଦେଇଥିଲେ ।
ସାକ୍ଷୀଗୋପାଳ ବଜାର ମଧ୍ୟରେ ଯେଉଁ ରାସ୍ତା ଉପରେ ରେଳଓ୍ଵେ ଓଭର ବ୍ରିଜ ନିର୍ମାଣ ହେବ, ତାହା ଦ୍ବାରା ଜନଜୀବନ ପ୍ରଭାବିତ ହେବ । ଏହି ରାସ୍ତାର ଉଭୟ ପାର୍ଶ୍ବକୁ 10ଟି ସାହିକୁ ରାସ୍ତା ଲାଗି ଥିବାରୁ ସ୍ଥାନୀୟ ଲୋକଙ୍କ ଜୀବନଯାପନ ପ୍ରଭାବିତ ହେବାନେଇ ଅଭିଯୋଗ ହୋଇଛି । ଏହି ପ୍ରକଳ୍ପ ହେଲେ ବଜାର ଉପରେ ନିର୍ଭର କରି ଚଳୁଥିବା ପ୍ରାୟ 50 ଗ୍ରାମର ଅଧିବାସୀ, 300 ଚାଷୀ, ଉଠା ଦୋକାନୀଙ୍କୁ ଏକ ହଜାରରୁ ଊର୍ଦ୍ଧ୍ବ ବ୍ୟବସାୟୀ ନିଜର ବେଉସା ହରାଇବେ ।