ପୁରୀ:ସେବାୟତ ପିଲାଙ୍କ ପ୍ରତିକ୍ଷୀତ ଆଦର୍ଶ ଗୁରୁକୂଳ ପାଇଁ ଖୁବଶୀଘ୍ର ପଡିବ ଭିତ୍ତିପ୍ରସ୍ତର । ମାଟି ତୋଟାରେ ୧୪ ଏକର ପରିମିତ ଜମିରେ ହେବ ଆଦର୍ଶ ଗୁରୁକୂଳ ନିର୍ମାଣ । ସେବାୟତ ପରିବାର ପିଲାଙ୍କ ପାଇଁ ୫୦ ପ୍ରତିଶତ ଓ ଅନ୍ୟ ବିଦ୍ୟାର୍ଥୀଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷିତ ରହିବ । ତେବେ ଏନେଇ ବୁଧବାର ନିଳାଦ୍ରୀ ଭକ୍ତ ନିବାସରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପ୍ରସ୍ତାବିତ ଗୁରୁକୂଳର ଡିଜାଇନ୍, ଶିକ୍ଷାଦାନ ପ୍ରଣାଳୀ ଓ ଏମଓୟୁ ସମ୍ପର୍କରେ ଆଲୋଚନା ହୋଇଥିଲା । ଏନେଇ ୨୦୨୪ ସୁଦ୍ଧା ଗୁରୁକୂଳ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ସେବାୟତ ପରିବାରର ବିଦ୍ୟାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ଆଦର୍ଶ ଗୁରୁକୂଳ ନିମନ୍ତେ ଦୀର୍ଘ ବର୍ଷ ତଳେ ଯୋଜନା କରାଯାଇଥିଲା । ଗୁରୁକୂଳ ପାଇଁ ସୁପ୍ରିମକୋର୍ଟ ୬ କୋଟି ୧୯ ଲକ୍ଷ ୮୯ ହଜାର ଟଙ୍କା ଶ୍ରୀମନ୍ଦିର ପ୍ରଶାସନକୁ ଦେଇଛନ୍ତି । ଏଥିସହ ରାଜ୍ୟ ସରକାର ଅଭଡା ଯୋଜନାରେ ଗୁରୁକୂଳ ପାଇଁ ୨୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ଆଦର୍ଶ ଗୁରୁକୂଳ ପାଇଁ ପ୍ରଥମେ ସୋସାଇଟି ଗଠନ, ମାଟି ତୋଟାରେ ୧୪ ଏକର ଜମି ଲିଜରେ ଯୋଗାଇ ଦିଆଯିବା ପରେ ବିର୍ଲା କମ୍ପାନୀ ସହ ବୁଝାମଣା ପତ୍ର ବା ଏମଓୟୁ ସ୍ବାକ୍ଷର ହୋଇସାରିଛି । ବୁଧବାର ଓବିସିସି ଓ ବିର୍ଲା କମ୍ପାନୀର ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରିବା ପରେ ୧୯ ଏକର ଜମିର ଆବଶ୍ୟକତା ରହିଦଳଥିବା କହିଛନ୍ତି । ନର୍ସରୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସଇ ଢାଞ୍ଚାରେ ଶିକ୍ଷାଦାନ ସହ ସେବାୟତ ପରିବାର ବିଦ୍ୟାର୍ଥୀଙ୍କ ପାଇଁ ଅଧିକ ଦୁଇ ଘଣ୍ଟା ଆଧ୍ୟାତ୍ମିକ, ନୈତିକ, ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଦାନ କରାଯିବାକୁ ବ୍ୟବସ୍ଥା ହୋଇଛି।