ପୁରୀ:ପଞ୍ଚଭୂତରେ ଲୀନ ହୋଇଯାଇଛି ଶହୀହଙ୍କ ପାର୍ଥିବ ଶରୀର । ଜନ୍ମମାଟିରେ ପହଞ୍ଚିବା ପରେ ଶହୀଦ ଯବାନ ପ୍ରତାପଙ୍କୁ ଦିଆଯାଇଥିଲା ଶ୍ରଦ୍ଧାଞ୍ଜଳି । ବନ୍ଧୁ ପରିଜନ, ଗ୍ରାମବାସୀ ଓ ରାଜନେତା ସମସ୍ତେ ଆସି ଶହୀଦଙ୍କ ଅନ୍ତିମ ଦର୍ଶନ କରିଛନ୍ତି । ଜନ୍ମମାଟି ପୁରୀ ଜିଲ୍ଲା ଗୋପ ବ୍ଳକ ମଲ୍ଲଗ୍ରାମରେ ଶହୀଦ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କୁ ଗାର୍ଡ ଅଫ ଅନର୍ ପ୍ରଦାନ କରାଯାଇଥିଲା । ଏହାପରେ ଜନ୍ମମାଟିରେ ଶହୀଦ ପ୍ରତାପ ରଞ୍ଜନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
ସୂଚନା ଅନୁସାରେ, ରବିବାର ରାତିରେ ଭୁବନେଶ୍ବରରେ ପହଞ୍ଚିଥିଲା ଶହୀଦ ଯବାନଙ୍କ ପାର୍ଥିବ ଶରୀର। ଏହାପରେ ଶହୀଦଙ୍କ ପାର୍ଥିବ ଶରୀର ଭୁବନେଶ୍ବର ବିମାନବନ୍ଦରରୁ ଖୋର୍ଦ୍ଧା ବିଏସଫ୍ କ୍ୟାମ୍ପକୁ ନିଆଯାଇଥିଲା । ଆଜି ଶହୀଦ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ଜନ୍ମମାଟି ପୁରୀ ଜିଲ୍ଲା ଗୋପ ବ୍ଳକ ମଲ୍ଲଗ୍ରାମରେ ପହଞ୍ଚିଥିଲା ପାର୍ଥିବ ଶରୀର । ବିଭିନ୍ନ ସ୍ଥାନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି ସମୟରେ ବିଧାୟକ ସମୀର ରଞ୍ଜନ ଦାସ ମଧ୍ୟ ଉପସ୍ଥିତ ରହିଥିଲେ ।
ମେଘାଳୟ ଓ ବାଲାଂଦେଶ ସୀମା ତୁରା ନିକଟରେ କାର୍ଯ୍ୟରତ ଥିବାବେଳେ ସେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଏକ ଖାତକୁ ଖସି ପଡ଼ିଥିଲେ । ତୁରନ୍ତ ଚିକିତ୍ସା ପାଇଁ ତାଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରତାପ ସୀମା ସୁରକ୍ଷା ବାହିନୀର ଗୁଇନ୍ଦା ବିଭାଗରେ ହାବିଲଦାର ମେଜର ଭାବେ କାର୍ଯ୍ୟରତ ଥିଲେ । ମେଘାଳୟ ସୁରା କ୍ୟାମ୍ପରୁ ଘାଟିକୁ ଯାଉଥିବା ସମୟରେ ଏଭଳି ଦୁଃଖଦ ଘଟଣା ଘଟିଛି। ତେବେ କେତେକ ଦୁର୍ବୃତ୍ତଙ୍କ ଆକ୍ରମଣରେ ଶହୀଦ ହୋଇଥିବା କୁହାଯାଉଥିବାବେଳେ ଏହାର ସଠିକ ତଦନ୍ତ ଦାବି କରିଛନ୍ତି ପରିବାର ।