ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ, ପ୍ରଥମ ଦିବସ କାର୍ଯ୍ୟ ଶେଷ ପୁରୀ:ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଆରମ୍ଭ ହୋଇଥିବା ଲେଜର ସ୍କାନିଂ ପ୍ରଥମ ଦିବସ କାର୍ଯ୍ୟ ଶେଷ ହୋଇଛି । ଲାଇଟ୍ କମିଯିବାରୁ ଆସନ୍ତାକାଲି (ବୁଧବାର) ପୁଣି ଲେଜର ସ୍କାନିଂ କରାଯିବ । ଏହି ସୂଚନା ଦେଇଛନ୍ତି ଏଏସଆଇ ଅଧିକାରୀ । ତେବେ ଆଜି ପ୍ରଥମ ଦିନରେ ରତ୍ନ ଭଣ୍ଡାରର ବାହାର ପଟ କାନ୍ଥରେ ୩୭ଟି ପଏଣ୍ଟରେ ସ୍କାନିଂ କରାଯାଇଛି । କ୍ୟାମେରାରେ ସ୍କାନିଂ ହୋଇଥିବା ଫଟୋକୁ ଡକ୍ୟୁମେଣ୍ଟେସନ କରାଯିବ । ଏହାପରେ ଫଟୋରୁ ରତ୍ନଭଣ୍ଡାର ସ୍ଥିତି କିଭଳି ରହିଛି ତାହା ଅନୁଧ୍ୟାନ କରାଯିବ ।
ଉତ୍ତର ପାର୍ଶ୍ବରେ ସ୍କାନିଂ କରାଯାଇ କରାଯାଇନଥିବା ବେଳେ ଆସନ୍ତାକାଲି ଏହା କରାଯିବ । ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ ପାଇଁ ଲେଜର ସ୍କାନିଂ ଆରମ୍ଭ ହୋଇଛି । ଏଥିପାଇଁ ଏଏସାଆଇର ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିବା ବେଳେ ଲେଜର ସ୍କାନିଂ ଆରମ୍ଭ ହୋଇଛି । ବିଶେଷ କରି ରତ୍ନଭଣ୍ଡାରର ବାହାର ପାର୍ଶ୍ବରେ ସ୍ଥିତି କ'ଣ ରହିଛି ତାହା ଜାଣିବା ପାଇଁ ଏହି ଲେଜର ସ୍କାନିଂ କରାଯାଉଛି । ଲେଜର ସ୍କାନିଂରେ ରତ୍ନଭଣ୍ଡାରର ସ୍ଥିତି ଜଣାପଡ଼ିବା ପରେ ଏନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏଏସଆଇ ସୁପରିଟେଣ୍ଡେଣ୍ଟ କହିଛନ୍ତି।
ଏହା ବି ପଢନ୍ତୁ- ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ : କଂଗ୍ରେସ କହିଲା ଭୁଆଁ ବୁଲାଉଛନ୍ତି ସରକାର
ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ ପାଇଁ ଜଗନ୍ନାଥ ପ୍ରେମୀ, ସେବାୟତ ଓ ଗବେଷକଙ୍କ ମହଲରେ ବାରମ୍ବାର ଦାବି ପରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ଯାଞ୍ଚ ନେଇ ନିଷ୍ପତ୍ତି ହୋଇଥିଲା । ତେବେ ପ୍ରାଥମିକ ପର୍ଯ୍ୟାୟରେ ରତ୍ନଭଣ୍ଡାରର ବାହାର ପାର୍ଶ୍ବ ସ୍ଥିତି କିଭଳି ରହିଛି ତା'ର ଅନୁଧ୍ୟାନ ପାଇଁ ଏଏସଆଇକୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା । ଏହି କ୍ରମରେ ଆଜି ଏଏସଆଇ ଟିମ ଅତ୍ୟାଧୁନିକ ଥ୍ରିଡି କ୍ୟାମେରା ସାହାଯ୍ୟରେ ରତ୍ନଭଣ୍ଡାରର ବାହାର ପାର୍ଶ୍ବ ଯାଞ୍ଚ ପାଇଁ କାର୍ଯ୍ୟ ଆରମ୍ଭ କରିଛି ।
ସେପଟେ ଶ୍ରୀମନ୍ଦିରରେ ଅନେକ ଗୁଡ଼ିଏ କଳାକୃତି ନଷ୍ଟ ହୋଇଯାଇଥିବା ବେଳେ ଏହି ପଥରକୁ ବଦଳାଇ ପୂର୍ବରୁ ଥିବା କଳାକୃତି ଅନୁଯାୟୀ ପଥର ସ୍ଥାନିତ କରାଯିବାକୁ ନେଇ ଏଏସାଆଇକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତାବ ଦେଇଛି । ତେବେ ଲେଜର ସ୍କାନିଂ ରିପୋର୍ଟ ଆସିବା ପରେ ରତ୍ନଭଣ୍ଡାରର ମରାମତି ନେଇ ପଦକ୍ଷେପ ନେବ ଶ୍ରୀମନ୍ଦିର ପରିଚାଳନା କମିଟି । ଶ୍ରୀମନ୍ଦିର ସଂରକ୍ଷଣରେ ଏଏସଆଇ ଅବହେଳା କରିଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ସେବାୟତ । ସଠିକ୍ ଭାବରେ ଯାଞ୍ଚ କରିବାକୁ ସେବାୟତ ଦାବି କରିଛନ୍ତି । ସେପଟେ ଲେଜର ସ୍କାନିଂକୁ ସମାଲୋଚନା କରିଛି ପୁରୀ ନଗର କଂଗ୍ରେସ । ରତ୍ନଭଣ୍ଡାର ସ୍ଥିତି ଖରାପ ଥିବା ପୁର୍ବରୁ ହାଇକୋର୍ଟ ନିର୍ଦ୍ଦେଶିତ କମିଟି, ଏଏସ୍ଆଇ କହି ସାରିଥିବା ବେଳେ ଲେଜର ସ୍କାନିଂ ନାମରେ କେବଳ ଭକ୍ତମାନଙ୍କୁ ସରକାର ଭୁଆଁ ବୁଲାଉଛନ୍ତି । ରତ୍ନ ଭଣ୍ଡାର ଖୋଲିବାରେ ପ୍ରସଙ୍ଗକୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ନାଟକ କରୁଛନ୍ତି ବୋଲି ପୁରୀ ନଗର କଂଗ୍ରେସ କହିଛି ।
ଇଟିଭି ଭାରତ, ପୁରୀ