ପୁରୀ:ଆଜି ପବିତ୍ର ମାଘସପ୍ତମୀ । ଏ ନେଇ ଚଳଚଞ୍ଚଳ ପୁରପଲ୍ଲୀ । ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘସପ୍ତମୀ ମେଳାରେ ପବିତ୍ର ତୀର୍ଥ ପୁଷ୍କରିଣୀରେ ବୁଡ ପକାଇଛନ୍ତି ହଜାରହଜାର ଶ୍ରଦ୍ଧାଳୁ । ପ୍ରଥମେ ତିନି ଠାକୁର ତ୍ରିବେଣୀଶ୍ବର, ବାବା ଐଶାନେଶ୍ବର ଓ ବାବା ଦକ୍ଷିଣେଶ୍ବର ମହାଦେବଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ପରେ ସାଧୁସନ୍ଥମାନେ ତୀର୍ଥ ପୁଷ୍କରିଣୀରେ ବୁଡ ପକାଇଥିଲେ । ପରେ ହଜାରହଜାର ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ ପକାଇ ନିଜକୁ ଧନ୍ୟ କରିଛନ୍ତି ।
ଗତକାଲିଠାରୁ ଚନ୍ଦ୍ରଭାଗା ମେଳା ପଡ଼ିଆର ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ପରମ୍ପରା ଅନୁଯାୟୀ ଚନ୍ଦ୍ରଭାଗା ମେଳା ପଡିଆରେ ଭକ୍ତମାନେ ଷଷ୍ଠୀ ତିଥିରେ ମହିଳାମାନେ ମାଟିହାଣ୍ଡିରେ ଶୁଖୁଆ ଡାଲମା, ଭାତ ରାନ୍ଧି ଏହାର କିଛି ଅଂଶକୁ ଅର୍କାସୁର ଉଦ୍ଦେଶ୍ୟରେ ସମର୍ପଣ କରି ପାରିବାରର ସୁଖ ସମୃଦ୍ଧି କାମନା କରିଥିଲେ। ପରେ ବଳକା ଅଂଶକୁ ନିଜେ ସେବନ କରିଥଲେ । ପରେ ହାଣ୍ଡିକୁ ନିକଟସ୍ଥ ହାଣ୍ଡି ଭଙ୍ଗା ପଡିଆରେ ଭାଙ୍ଗି ଆଜି(ଶନିବାର) ଭୋର୍ 4 ଟା 30 ପରେ ଭକ୍ତମାନେ ତୀର୍ଥ ପୁଷ୍କରିଣୀରେ ବୁଡ ପକାଇ ପ୍ରଭୂ ସୁର୍ଯ୍ୟ ଦେବତାଙ୍କୁ ପୂଜା କରିଛନ୍ତି। ପରେ ତିନି ମହାଦେବଙ୍କୁ ପୂଜା କରି ଆଶୀର୍ବାଦ ନେଇଥିଲେ ।
ସେପଟେ ଚଳିତବର୍ଷ କିଭଳି ଶାନ୍ତି ଶୃଙ୍ଖଳାରେ ମାଘ ମେଳା ଅନୁଷ୍ଠିତ ହୋଇପାରିବ ସେନେଇ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି। କରୋନା କଟକଣା ନଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । କୋଭିଡ କଟକଣା ହେତୁ ଗତ ଦୁଇବର୍ଷ ବିନା ଭକ୍ତରେ ଚନ୍ଦ୍ରଭାଗା ମାଘ ମେଳା ଅନୁଷ୍ଠିତ ହୋଇଥିଲା । ତେବେ ଚଳିତ ବର୍ଷ କୋଭିଡ କଟକଣା ନଥିବାରୁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଗମନ ହେଇଛି । ଭକ୍ତଙ୍କ ସୁରକ୍ଷା, ଗମନାଗମନ ସୁବନ୍ଦୋବସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ତିନି ମହାଦେବ ପ୍ରଭୁ ଦକ୍ଷିଣେଶ୍ବର, ଇଶାନେଶ୍ବର ଓ ତ୍ରିବେଣୀଶ୍ବର ବିମାନରେ ବିଜେ କରିଥିଲେ । ବିମାନରେ ବିରାଜମାନ କରି ରୀତିନୀତି ଅନୁସାରେ ବାଣ ବାଜା ଓ ରୋଷଣୀ ମାଧ୍ୟମରେ ଆସି କୋଣାର୍କ ଏନଏସି କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେଠାରୁ ରୋଷଣୀ ମାଧ୍ୟମରେ ପୁଣି ଚନ୍ଦ୍ରଭାଗା ତୀର୍ଥର ପୁଷ୍କରିଣୀରେ ପହଞ୍ଚିଥିଲେ ।