ଓଡିଶା

odisha

By

Published : Dec 6, 2019, 1:10 PM IST

ETV Bharat / state

ଉଦଯାପିତ ହେଲା ‘କୋଣାର୍କ ମହୋତ୍ସବ-2019’

ପାଞ୍ଚଦିନ ଧରି ଚାଲିଥିବା ‘କୋଣାର୍କ ଉତ୍ସବ 2019’ ଗୁରୁବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ ।

Koranka festival 2019 closed
ଉଦଯାପିତ ହେଲା ସଙ୍ଗୀତ ଓ ନୃତ୍ୟର ଉତ୍ସବ ‘କୋଣାର୍କ ଉତ୍ସବ 2019’

ପୁରୀ: ପାଞ୍ଚଦିନ ଧରି କୋଣାର୍କ ସୂର୍ଯ୍ୟମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ସଙ୍ଗୀତ ଓ ନୃତ୍ୟର ଉତ୍ସବ ‘କୋଣାର୍କ ଉତ୍ସବ 2019’ ଗୁରୁବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ଗଜପତି ମହାରାଜ ଶ୍ରୀ ଦିବ୍ୟ ସିଂହ ଦେବ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ପୌରାଣିକ କଥାବସ୍ତୁ ଏବଂ ଭାରତନାଟ୍ୟମ ଜରିଆରେ ଆରମ୍ଭ ହୋଇଥିଲା ଉଦଯାପିତ ସନ୍ଧ୍ୟା ।

ଉଦଯାପିତ ହେଲା ସଙ୍ଗୀତ ଓ ନୃତ୍ୟର ଉତ୍ସବ ‘କୋଣାର୍କ ଉତ୍ସବ 2019’


ଉଦଯାପିତ ସନ୍ଧ୍ୟାରେ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ଭାରତନାଟ୍ୟମ ଓ ଓଡ଼ିଶୀ ନୃତ୍ୟ ନାଟିକାରେ ବାନ୍ଧି ରଖିଥିଲା ଦର୍ଶକଙ୍କୁ । ଶୀତୁଆ ପବନ ଓ କାକର ଭିଜା ଖୋଲା ଆକାଶ ତଳେ ମନଭରି ଉପଭୋଗ କରିଥିଲେ ଦର୍ଶକ । ଶାସ୍ତ୍ରୀୟନୃତ୍ୟ ଭାରତନାଟ୍ୟମର ବିବିଧ ସ୍ତବକକୁ ନେଇ ମଞ୍ଚ ପ୍ରବେଶ କରିଥିଲେ ସୁବିଖ୍ୟାତ ଗୁରୁ ବୈଭବ ଆରେକର ଓ ସାଥୀ। ପ୍ରଥମେ ଆରାଧ୍ୟ ଆଦିତ୍ୟ ନାରାୟଣଙ୍କ ଉପାସନା ଆଧାରିତ ସୂର୍ଯ୍ୟ ସ୍ତୃତିର ନିବେଦନ ପରେ ପରେ ଯତିଶ୍ଵରମ୍ ଉପସ୍ଥପିତ ହୋଇଥିଲା ।
ପ୍ରଥମ ଚରଣରେ ଭାରତନାଟ୍ୟମ ନୃତ୍ୟର ଆଧାରିତ ତାଳ- ଳୟ- ମାନ ଓ ଗତିଶାଳତାର ମଧୁର ‌ସମନ୍ବୟକ ତୋଳି ଧରିଥିଲା ଯତିଶ୍ବରମର ସଂଯୋଜନା । ଅନ୍ତିମ ପ୍ରସ୍ତୁତିରେ ବୈଭବ ଆରେକର କବିରାଜ ଜୟଦେବଙ୍କ ଶ୍ରୀ ଗିତାଗୋବିନ୍ଦମ୍ କାବ୍ୟ ଅନ୍ତର୍ଗତ ଦଶାବତାରକୁ ନିଖୁଣ ଭାବେ ଉପସ୍ଥାପନ କରି ମୋହିତ କରିଥିଲେ ‌ନୃତ୍ୟାନୁରାଗୀ ଦର୍ଶକଙ୍କୁ।


ଦ୍ଵିତୀୟ ଚରଣରେ ହରିବଂଶ ମହାପୁରାଣର ଗାଥା ହଂସଦୂତ ନୃତ୍ୟନାଟିକାକୁ ମଞ୍ଚସ୍ଥ କରିଥିଲେ ଗୁରୁ କେଳୁଚରଣ ମହାପାତ୍ର । ସେହିପରି କଳାକାର ମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ହୃଦୟ ଛୁଆଁ ସଙ୍ଗୀତର ତାଳେତାଳେ ମଞ୍ଚରେ ନୃତ୍ୟ ପରିବେଷଣ କରିଥିଲେ କଳାକାର । ଗୁରୁ ସଦାସିବ ପ୍ରଧାନଙ୍କ ରଚନାକୁ ନେଇ ଗୁରୁ ସ୍ଵପ୍ନେଶ୍ବର ଚକ୍ରବର୍ତ୍ତୀଙ୍କ ସଂଗୀତ ଓ ସଚ୍ଚିଦାନନ୍ଦ ଦାସଙ୍କ ତାଳ ରଚନା ଆଧାରରେ ନୃତ୍ୟ ସଂଯୋଜନା କରିଥିଲେ ଗୁରୁ ଶ୍ରୀମତୀ ‌କସ୍ତୁରୀ ପଟନାୟକ।


ସେପଟେ ଏହି ମଞ୍ଚରେ ନୃତ୍ୟ ପରିବେଷଣ କରିବା ଅତି ଭାଗ୍ୟର କଥା ବୋଲି କଳାକାର ମାନେ କହିଛନ୍ତି । ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି କୋଣାର୍କ ଉତ୍ସବ ଅତି ଆକର୍ଷଣୀୟ ହୋଇଛି ବୋଲି ପର୍ଯ୍ୟଟକ ମତ ଦେଇଥିଲେ । ଆଧୁନିକତାର ଛାପରେ ହଜିବାକୁ ବସିଥିବା କଳାସଂସ୍କୃତିକୁ ବଞ୍ଚାଇ ରଖିବାକୁ ଏଭଳି ପ୍ରୟାସ ଜାରି ରଖିବାର ଆବଶ୍ୟକତା ରହିଛି ବୋଲି କଳାକାର କହିଛନ୍ତି l

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details