ଓଡିଶା

odisha

ETV Bharat / state

ବ୍ରହ୍ମଗିରିରୁ ବୁଦାପେଷ୍ଟ: ଦିନେ ଜମି ବିକି ଜାଭେଲିନ୍‌ କିଣିଥିଲେ ବାପା, ଆଜି ବିଶ୍ବ ଦରବାରରେ ଚମକିଲେ ପୁଅ - କିଶୋର ଜେନା

ହଙ୍ଗେରୀର ବୁଦାପେଷ୍ଟ୍‌ରେ ଶୁକ୍ରବାର ବିଶ୍ବ‌ ଆଥ୍‌ଲେଟିକ୍ସ ଚମ୍ପିଆନ୍‌ସିପ୍‌ରେ ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଓଡ଼ିଆ ପୁଅ କିଶୋର ଜେନା । ପ୍ରଥମ ଥ୍ରୋରେ 80 ମିଟରରୁ ଅଧିକ ପକାଇ ଟପ୍-9ରେ ସ୍ଥାନ ଅଧିକାର କରିବା ସହିତ ପଦକ ପାଇଁ ଫାଇନାଲରେ ଅଲମ୍ପିକ୍ ଚମ୍ପିଆନ ନୀରଜ ଚୋପ୍ରାଙ୍କ ସମେତ ଲଢିବେ କିଶୋର । ପୁରୀ ଜିଲ୍ଲା ବ୍ରହ୍ମଗିରିର କୋଠସାହିରୁ ଏବେ ବିଶ୍ବ ଦରବାରରେ ପହଞ୍ଚିଛନ୍ତି କିଶୋର । ଯାହାକୁ ନେଇ ତାଙ୍କ ଗାଁରେ ଖେଳି ଯାଇଛି ଖୁସିର ମାହୋଲ । ଅଧିକ ପଢ଼ନ୍ତୁ

ବ୍ରହ୍ମଗିରିରୁ ବୁଦାପେଷ୍ଟ୍‌ କିଶୋର ଜେନାଙ୍କ ଯାତ୍ରା
ବ୍ରହ୍ମଗିରିରୁ ବୁଦାପେଷ୍ଟ୍‌ କିଶୋର ଜେନାଙ୍କ ଯାତ୍ରା

By ETV Bharat Odisha Team

Published : Aug 26, 2023, 9:36 PM IST

Updated : Aug 27, 2023, 12:01 PM IST

ବ୍ରହ୍ମଗିରିରୁ ବୁଦାପେଷ୍ଟ

ପୁରୀ: ବିଶ୍ବ କ୍ରୀଡା ଜଗତରେ ନୂତନ ତାରକା ଭାବେ ଉଭା ହୋଇଛନ୍ତି ଓଡ଼ିଆ ପୁଅ କିଶୋର କୁମାର ଜେନା । ହଙ୍ଗେରୀର ବୁଦାପେଷ୍ଟ୍‌ରେ ଶୁକ୍ରବାର ବିଶ୍ବ‌ ଆଥ୍‌ଲେଟିକ୍ସ ଚମ୍ପିଆନ୍‌ସିପ୍‌ରେ ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ଫାଇନାଲ୍‌ରେ ପ୍ରବେଶ କରି ଏବେ ସେ ଚର୍ଚ୍ଚାରେ । ଭରତର ସୁନା ପୁଅ ନୀରଜ ଚୋପ୍ରାଙ୍କ ସମେତ ଡିପି ମନୁ ଓ କିଶୋର ଜେନା ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଏହାପୂର୍ବରୁ ଗତ ମାସରେ ଶ୍ରୀଲଙ୍କାରେ ଆୟୋଜିତ ଜାତୀୟ ଆଥ୍‌ଲେଟିକ୍ସ ମିଟ୍‌ରେ ବ୍ୟକ୍ତିଗତ ଶ୍ରେଷ୍ଠ ୮୪.୩୮ ମିଟର୍ ଜାଭେଲିନ୍ ଫିଙ୍ଗି ସମସ୍ତଙ୍କ ନଜରକୁ ଆସିଥିଲେ କିଶୋର । ତେବେ ପୁରୀ ଜିଲ୍ଲା ବ୍ରହ୍ମଗିରିର କୋଠସାହିରୁ ଏବେ ବିଶ୍ବ ଦରବାରରେ ପହଞ୍ଚିଛନ୍ତି କିଶୋର ।

ସଫଳତାର ଶ୍ରେୟ ପରିବାରକୁ ଦେଲେ କିଶୋର: ଏକ ଚାଷୀ ପରିବାରରୁ ଆସିଛନ୍ତି କିଶୋର । ୭ ଭଉଣୀଙ୍କ ପରେ ପରିବାରର କିଶୋର ଏକମାତ୍ର ପୁଅ ହୋଇଥିବାରୁ ଭଲ ପାଠ ପଢ଼ି ଚାକିରି ଖଣ୍ଡିଏ କରିବା ପାଇଁ ବାପା ମାଆ ଆଶା କରିଥିଲେ । କିନ୍ତୁ କିଶୋରଙ୍କ ଦ୍ବାରା ପାଠ ପଢ଼ା ସେତେ ଭଲ ହେଉନଥିଲା । ହେଲେ ଖେଳାଖେଳିରେ ତାଙ୍କର ବେଶ୍ ଆଗ୍ରହ ରହିଥିଲା । ଏହାକୁ ନେଇ ଘରୁ କେବେ ସେ ବିରୋଧର ସମ୍ମୁଖୀନ ହୋଇନଥିଲେ । ସବୁବେଳେ ପରିବାର ଲୋକଙ୍କ ସମର୍ଥନ ମିଳିଥିଲା । ଯେଉଁଥିପାଇଁ ସେ ଆଜି ପାଇଥିବା ସଫଳତାର ଶ୍ରେୟ ନିଜ ପରିବାରକୁ ଦେଇଛନ୍ତି । ସେ କହିଛନ୍ତି, "ଏତେ ବାଟ ଆସିବି ବୋଲି ଭାବିନଥିଲି । ଆଗକୁ ଅନେକ ବାଟ ଯିବାର ଅଛି । ସବୁ ଖେଳାଳିଙ୍କ ଭଳି ପ୍ରତିଯୋଗିତାକୁ ‌ନେଇ ସ୍ଵତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛି । ବିଶ୍ବ ପ୍ରତିଯୋଗିତା, ଏସୀୟ କ୍ରୀଡ଼ା ପରେ ଅଲିମ୍ପିକ୍ସରେ ଖେଳିବା ଲକ୍ଷ୍ୟ ରହିଛି । ଅଧିକରୁ ଅଧିକ ସଫଳତା ଆଣି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବା ମୋ ପ୍ରାଥମିକତା ହେବ ।"

ଏହା ମଧ୍ୟ ପଢ଼ନ୍ତୁ...World Athletics Championships: ଫାଇନାଲ୍‌ରେ ଓଡ଼ିଆ ପୁଅ କିଶୋର ଜେନା, ନୀରଜଙ୍କ ସହ ୨ ଭାରତୀୟଙ୍କ ହେବ ଟକ୍କର

ରାଜ୍ୟ ସରକାରଙ୍କୁ କଲେ ପ୍ରଶଂସା: ଯେଭଳି ଖେଳ ଓ ଖେଳାଳିଙ୍କୁ ଉତ୍ସାହିତ ଓ ପ୍ରୋତ୍ସାହିତ କରୁଥିବାରୁ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି କିଶୋର । ଏଥିପାଇଁ ଓଡ଼ିଶା ଖେଳାଳି ଭଲ କରୁଛନ୍ତି ବୋଲି ସେ କହିଛନ୍ତି । ଭିତ୍ତିଭୂମିର ବିକାଶ ସହିତ ରାଜ୍ୟରେ ବଢ଼ିଥିବା କ୍ରୀଡ଼ା ଛାତ୍ରାବାସ ଗୁଡ଼ିକରୁ ଖେଳାଳିମାନେ ଉପକୃତ ହେଉଛନ୍ତି । ଏଥିରୁ ସେମା‌ନେ ଅଧିକ ଫାଇଦା ନେବା ଆବଶ୍ୟକ ବୋଲି କିଶୋର କହିଛନ୍ତି । ସେପଟେ କିଶୋର ବିଶ୍ଵ ଦୌଡକୁଦ ପ୍ରତିଯୋଗିତାର ଫାଇନାଲରେ ପହଞ୍ଚିବା ପରେ କିଶୋରଙ୍କ ଗାଁ ପୁରୀ ଜିଲ୍ଲା ବ୍ରହ୍ମଗିରିର କୋଠସାହିରେ ଖୁସିର ଲହରି ଖେଳିଯାଇଛି । କିଶୋର ଫାଇନାଲରେ ମେଡାଲ ଜିତି ଦେଶ ଓ ରାଜ୍ୟର ଟେକ ରଖୁ ବୋଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଗ୍ରାମବାସୀ ପୂଜାର୍ଚ୍ଚନା ସହ ପ୍ରାର୍ଥନା କରିଛନ୍ତି ।

ଜମି ବିକି ଜାଭେଲିନ କିଣିଦେଇଥିଲେ ବାପା: କିଶୋରଙ୍କ ସମ୍ପର୍କୀୟ ଭଉଣୀ ଇତିଶ୍ରୀ କହିଛନ୍ତି, "କିଶୋର ଖେଳକୁ ନେଇ ବହୁତ୍ ପରିଶ୍ରମ କରିଛି । ତାଙ୍କର ବିଶ୍ବାସ ରହିଛି ଫାଇନାଲ କିଶୋର ନିଶ୍ଚିତ ପଦକ ଜିତି ଦେଶ ଓ ରାଜ୍ୟର ଗୌରବ ରଖିବ । ଆର୍ଥିକ ଅନଟନ ସତ୍ତ୍ବେ କିଶୋର ନିଜର ଦୃଢ଼ ଇଚ୍ଛାଶକ୍ତି ଓ ନିଷ୍ଠା ଦ୍ଵାରା ଜାଭେଲିନ କ୍ରୀଡାରେ ସଫଳତା ପାଇଛି ।" ସେପଟେ କିଶୋରଙ୍କ ବାପା କହିଛନ୍ତି, "କିଶୋର ଖେଳକୁ ବେଶ୍ ନିଷ୍ଠାର ସହ ଖେଳିଛି । ଅର୍ଥ ଅଭାବରୁ ଜମି ବିକ୍ରି କରି ତାକୁ ଜାଭେଲିନ କିଣି ଦେଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ତାକୁ ଠିକ୍ ସ୍ଥାନକୁ ନେଇଛନ୍ତି ।" ଫାଇନାଲ ମ୍ୟାଚ୍ ଜିତି ଦେଶର ଗୌରବ ବଢ଼ାଇବା ପାଇଁ ପୁଅକୁ ଫୋନରେ କହିଥିବା ବାପା କେଶବ ଜେନା କହିଛନ୍ତି । ସେପଟେ ପୁଅ ଫାଇନାଲରେ ପହଞ୍ଚିବା ପରେ ମାଆ ଆଖିରୁ ଶୁଖୁନି ଖୁସିର ଲୁହ । ସେ କହିଛନ୍ତି, "ଠାକୁର ମୋର ନିବେଦନ ଗ୍ରହଣ କରିଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରୁ ମୋ ପୁଅ ଭଲ ଖେଳି ଫାଇନାଲରେ ପହଞ୍ଚିଛି ।" ତେବେ ସେ ନିଶ୍ଚିତ ଫାଇନାଲରେ ଜିତି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିବ ବୋଲି କିଶୋରଙ୍କ ମାଆ ପ୍ରାର୍ଥନା କରିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Aug 27, 2023, 12:01 PM IST

ABOUT THE AUTHOR

...view details