ପୁରୀ:ଦଶମୂଳ ମୋଦକ ସେବନ ଖାଇ ସୁସ୍ଥ ହୋଇଛନ୍ତି ମହାବାହୁ । ଅଣସରର ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଛି । ଏହି ଅବସରରେ ପରମ୍ପରା ଅନୁଯାୟୀ ରାଜନଅରକୁ ଖଡ଼ି ପ୍ରସାଦ ବିଜେ ନୀତି ହୋଇଛି । ଦତ୍ତ ମହାପାତ୍ର ସେବକ ମାନେ ଗଜପତିଙ୍କୁ ଖଡ଼ି ପ୍ରସାଦ ଅର୍ପଣ କରିଛନ୍ତି । ଏଥି ସହିତ ମହାପ୍ରଭୁ ସମ୍ପୂର୍ଣ ସୁସ୍ଥ ହୋଇଥିବା ଖବର ସହ ଅନବସର ନୀତି ସବୁ ଠିକ୍ ଢଙ୍ଗରେ ଚାଲିଥିବା ଗଜପତିଙ୍କୁ ସେବାୟତ ଅବଗତ କରିଛନ୍ତି ।
ଗୁଣ୍ଡିଚା ମନ୍ଦିରରେ ଲାଗିବ ଏସି:ଆଉ ଦିନକ ପରେ ରଥଯାତ୍ରା ଥିବାରୁ ବିଭିନ୍ନ ପ୍ରସଙ୍ଗ ଉପରେ ମତ ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ସେ କହିଛନ୍ତି ଯେ, ଗୁଣ୍ଡିଚା ମନ୍ଦିରରେ ଚାଲିଥିବା ମରାମତି କାର୍ଯ୍ୟ ଶେଷ ହୋଇଥିବା ବେଳେ ନେତା ମଣ୍ଡପ ବୀମ ସମ୍ପୂର୍ଣ ଭଲ ସ୍ଥିତିରେ ରହିଛି । ନିଳାଦ୍ରୀ ବିଜେ ପରେ ଅଳ୍ପ କିଛି କାର୍ଯ୍ୟ ଶେଷ ହେବ । ଚଳିତ ବର୍ଷ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ସୁବିଧା ପାଇଁ ଏସି ଲଗାଯିବା ପାଇଁ ବ୍ୟବସ୍ଥା ଚାଲିଛି । ପ୍ରବଳ ଗରମକୁ ଦୃଷ୍ଟିରେ ରଖି ଏସି ଲଗାଯିବା ନେଇ ଯୋଜନା ଚାଲିଥିବା ଗଜପତି ସୂଚନା ଦେଇଛନ୍ତି ।
ଅଦିନିଆ ରଥଯାତ୍ରା ଆୟୋଜନକୁ ବିରୋଧ:ସେହିପରି ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜନକୁ ଗଜପତି ନା ପସନ୍ଦ କରିଛନ୍ତି । ଭାରତରେ ରଥଯାତ୍ରା ପରମ୍ପରା ଅନୁଯାୟୀ ଆଷାଢ଼ ଶୁକ୍ଲ ଦ୍ଵିତୀୟା ତିଥିରେ କରିବାକୁ ଗଜପତି ପରାମର୍ଶ ଦେଇଛନ୍ତି । ଏହା ଦ୍ବାରା ଜଗନ୍ନାଥ ସଂସ୍କୃତି ବିକୃତ ହେବନାହିଁ ।