ପୁରୀ:ଭକ୍ତଙ୍କ ପାଇଁ ଖୋଲିଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା' ମଙ୍ଗଳାଙ୍କ ମନ୍ଦିର । କୋଭିଡ କଟକଣା ଯୋଗୁଁ ଦୀର୍ଘ ୯ ମାସ ଧରି ମନ୍ଦିର ବନ୍ଦ ରହିଥିଲା । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଆଜି ଠାରୁ ମା’ଙ୍କ ମନ୍ଦିର ଖୋଲିଛି । ଏଥିସହିତ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ ।
ପ୍ରତ୍ୟୁଷରେ ମା'ଙ୍କ ଦୈନନ୍ଦିନ ନୀତିକାନ୍ତି ପରେ ମାଙ୍କ ପହଡ଼ ଖୋଲିଥିଲା । କୋଭିଡ ନିୟମ ମାନିବା ସହ ଭକ୍ତମାନଙ୍କ ପ୍ରବେଶ ପାଇଁ ସ୍ବତନ୍ତ୍ର ବାରିକେଟ ବ୍ୟବସ୍ଥା କରାଯାଇଛି । ୬ ଫୁଟ ଦୂରତା ,ମାସ୍କ, ସାନିଟାଇଜରକୁ ବାଧ୍ୟତାମୂଳକ କରାଯାଇଛି । ଭକ୍ତମାନେ ମନ୍ଦିରର ପୂର୍ବ ଦ୍ବାରରେ ପ୍ରବେଶ ଓ ଉତ୍ତର ଦ୍ବାରରେ ପ୍ରସ୍ଥାନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଦୀର୍ଘଦିନ ପରେ ଭକ୍ତ ମାନଙ୍କ ମନରେ ମା’ଙ୍କୁ ଦର୍ଶନ ପାଇଁ ବେଶ ଉତ୍କଣ୍ଠା ଦେଖାଯାଉଥିବାବେଳେ ମା ମଙ୍ଗଳା ପୀଠ ଏବେ ପୁଣି ଚଳଚଞ୍ଚଳ ହୋଇପଡିଛି ।